ପାନ, କିଆଫୁଲ ଚାଷୀଙ୍କୁ ମିଳିବ ସ୍ବତନ୍ତ୍ର ଆର୍ଥିକ ସହାୟତା

ଭୁବନେଶ୍ୱର, ୧୮।୯:ପାନଚାଷ ଓ କିଆଫୁଲ ଚାଷପାଇଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ପାନବରଜ ଚାଷୀ ଓ କିଆଫୁଲ ଚାଷୀ ବିଭିନ୍ନପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ଯୋଜନାରେ ଏହି ଦୁଇ ବର୍ଗରଚାଷକୁ ସାମିଲ କରାଯାଇ ସ୍ୱତନ୍ତ୍ର ଆର୍ଥିକ ସହାୟତା ଘୋଷଣା କରାଯିବା ସହ ଉଭୟ ଚାଷ ପାଇଁ ପ୍ରକ୍ରିୟାକରଣ ୟୁନିଟ୍ ଖୋଲିବା ପାଇଁ ମଧ୍ୟ ଚାଷୀଙ୍କୁ ସ୍ୱତନ୍ତ୍ର ସହାୟତା ଦିଆଯିବା ନେଇ ଘୋଷଣା କରାଯାଇଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ପୁରୀ ଓ ଗଞ୍ଜାମ ଗସ୍ତ ସମୟରେ ସ୍ଥାନୀୟ ପାନବରଜ ଚାଷୀ ଓ କିଆଫୁଲ ଚାଷୀମାନଙ୍କ ପକ୍ଷରୁ ବିଭିନ୍ନ ଅସୁବିଧା ସମ୍ପର୍କରେ ଅନେକ ଆପତ୍ତି ଅଭିଯୋଗ ଆସିଥିଲା। ସେ ସବୁର ସମାଧାନ ପାଇଁ ରବିବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସହିତ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ, ସମବାୟ ବିଭାଗ ସଚିବ ଅରବିନ୍ଦ ଅଗ୍ରଓ୍ବାଲ ପ୍ରମୁଖ ଉପସ୍ଥିତ ଥିଲେ ।ବୈଠକର ନିଷ୍ପତ୍ତି ଅନୁଯାୟୀ, ସବୁ ପାନ ଚାଷୀଙ୍କୁ ରାଜ୍ୟ ଯୋଜନାର ସ୍ବତନ୍ତ୍ର ଫଳଭିତ୍ତିକ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଅତି କମ୍‌ରେ ୨୦୦ ବର୍ଗମିଟର ପରିଧିର ପାନ ବରଜ ଥିବା ଚାଷୀମାନେ ସହାୟତା ପାଇଁ ଯୋଗ୍ୟ ବିବେଚିତ ହେବେ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏଥିପାଇଁ ସ୍ବତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରିବ।
ପାନ ବରଜ ଥିବା ଚାଷୀମାନଙ୍କୁ ଏହାର ପରିଚାଳନା ପାଇଁ ୟୁନିଟ୍‌ ପିଛା ୨୫୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବ। ଜଣେ ଚାଷୀକୁ ସର୍ବାଧିକ ଦୁଇଟି ୟୁନିଟ୍‌ ପାଇଁ ସହାୟତା ମିଳିବ। ପାନଚାଷ ପାଇଁ କିଶାନ କ୍ରେଡିଟ କାର୍ଡ ଜରିଆରେ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ।ପାନପତ୍ର ବ୍ୟବସାୟରେ ଜିଏସ୍‌ଟି ଲାଗୁ ସମ୍ପର୍କରେ ଜିଏସ୍‌ଟି କମିଶନରଙ୍କଠାରୁ ସ୍ପଷ୍ଟୀକରଣ ମଗାଯିବା ସହିତ ଏହା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ। ପାନପତ୍ର ପ୍ରକ୍ରିୟାକରଣ ୟୁନିଟ୍‌ଗୁଡିକୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସବ୍‌ସିଡି ଯୋଗାଇ ଦିଆଯିବ। ଏଥିପାଇଁ ଆପିକଲ ପକ୍ଷରୁ ଏକ ଡିପିଆର ପ୍ରସ୍ତୁତ କରାଯିବ।ସେହିପରି ଗଞ୍ଜାମର କିଆଫୁଲ ଚାଷୀମାନଙ୍କୁ ମଧ୍ୟ ଜାତୀୟ ଉଦ୍ୟାନ କୃଷି ଅଧୀନରେ ପ୍ରୋତ୍ସାହନ ଦିଆଯିବ। ଉଦ୍ୟାନ କୃଷି ମିଶନର ସହାୟତା ସହିତ ରାଜ୍ୟ ବଜେଟରୁ କିଆଫୁଲ ଚାଷ ପାଇଁ ଅତିରିକ୍ତ ସହାୟତା ମଧ୍ୟ ଦିଆଯିବ। କିଆଫୁଲ ଚାଷ ସ୍ଥାନଗୁଡ଼ିକର ସାଇଣ୍ଟିଫିକ୍‌ ମ୍ୟାପିଂ କରାଯାଇ ଏହି ସହାୟତା ଦିଆଯିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!