୨୧ ଦଫା ଦାବି ନେଇ ୨୫ରୁ ଆନ୍ଦୋଳନକୁ ଓହ୍ଲାଇବେ ମାଧ୍ୟମିକ ଶିକ୍ଷକ

ଭୁବନେଶ୍ୱର, ୨୪।୯ :୨୧ ଦଫା ଦାବି ନେଇ ୨୫ରୁ ଆନ୍ଦୋଳନକୁ ଓହ୍ଲାଇବେ ମାଧ୍ୟମିକ ଶିକ୍ଷକ| ରାଜ୍ୟର ଶିକ୍ଷା କ୍ଷେତ୍ରରେ ଶିକ୍ଷକ ସଙ୍କଟ ଲାଗି ରହିଥିବାବେଳେ ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁ ପିଲାଙ୍କ ପାଠପଢ଼ା ଗୁରୁତର ପ୍ରଭାବିତ ହୋଇଛି। ପ୍ରାଥମିକ ଶିକ୍ଷକମାନେ କାର୍ଯ୍ୟ ବନ୍ଦ କରି ବିଇଓଙ୍କ ଅଫିସ୍‌ ଆଗରେ ଧାରଣାରେ ବସିଥିବାରୁ ୧୬ଦିନ ହେବ ଅଧିକାଂଶ ପ୍ରାଥମିକ ବିଦ୍ୟାଳୟରେ ତାଲା ଝୁଲୁଛି। ଏପରି ସ୍ଥିତିରେ ମାଧ୍ୟମିକ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଥିବାରୁ ସ୍ଥିତି ଆହୁରି ବିଗିଡ଼ିଯିବା ଆଶଙ୍କା ସୃଷ୍ଟି ହୋଇଛି। ୨୧ ଦଫା ଦାବି ନେଇ ରାଜ୍ୟର ପ୍ରାୟ ସାଢ଼େ ୩ ହଜାର ମାଧ୍ୟମିକ ସ୍କୁଲର ୩୦ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ ଆସନ୍ତା ୨୫ ତାରିଖରୁ ଅହୋରାତ୍ର ଆନ୍ଦୋଳନ କରିବେ ବୋଲି ଶନିବାର ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ସୂଚନା ଦେଇଛି। ଆୟୋଜିତ ଖବରଦାତା ସମ୍ମିଳନୀରେ ଓଷ୍ଟାର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ କହିଛନ୍ତି, ବିଭିନ୍ନ ସମସ୍ୟା ନେଇ ହଜାର ହଜାର ଶିକ୍ଷକ, ଅଭିଭାବକ, ପୁରାତନ ଛାତ୍ର ଓ ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ଭୁବନେଶ୍ୱରଠାରେ ଏକ ମହାସମାବେଶ କରାଯିବ ଓ ଶିକ୍ଷକମାନେ ଅହୋରାତ୍ର ଧାରଣାରେ ବସିବେ। ଗତ ଅଗଷ୍ଟ ୧୬ ଶିକ୍ଷକ ଦାବି ଦିବସରେ ୩ ଦିନ ଧରି ଓ ସେପ୍ଟେମ୍ବର ୫ ପବିତ୍ର ଗୁରୁଦିବସରେ ଦୁଇଟି ପର୍ଯ୍ୟାୟରେ ଭୁବନେଶ୍ୱର ରାଜରାସ୍ତାରେ ଓଷ୍ଟାର ଆହ୍ବାନରେ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ଅହୋରାତ୍ର ଧାରଣାରେ ବସି ରହିଥିଲେ। ଶିକ୍ଷକଙ୍କ ସମସ୍ୟା ସମାଧାନ ପାଇଁ ସନ୍ଧ୍ୟାେରେ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକ ବସିଥିଲା। ବୈଠକ ଶେଷ ହେବା ପରେ ଅର୍ଥମନ୍ତ୍ରୀ ଗଣମାଧ୍ୟମ ସମ୍ମୁଖରେ କହିଥିଲେ, ଶିକ୍ଷକଙ୍କ ସମସ୍ତ ଦାବିର ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ବିଭିନ୍ନ ସଙ୍ଗଠନର ନେତୃବୃନ୍ଦଙ୍କୁ ଡାକି ନିଜ ନିଜର ବିଭାଗର ସଚିବ ଓ ମନ୍ତ୍ରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ। ହେଲେ  ଏଯାଏ କୌଣସି ଆଲୋଚନା କରାଗଲା ନାହିଁ। ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ଏହାକୁ ପାଳନ କରୁନାହାନ୍ତି। ନୂତନ ଅନୁଦାନପ୍ରାପ୍ତ ଓ ଅନ୍ୟାନ୍ୟ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତି ନ କରିବା, ଚାକିରି ସର୍ତ୍ତାବଳୀ ଓ ପେନ୍‌ସନ ନ ଦେଇ ଶିକ୍ଷକଙ୍କୁ ବାରମ୍ବାର ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ କରୁଛନ୍ତି। ଅବସର ପରେ ପେନ୍‌ସନ ପାଉ ନ ଥିବା ଶିକ୍ଷକଙ୍କୁ ପେନ୍‌ସନ ପ୍ରଦାନ, ଚୁକ୍ତିଭିିତ୍ତିକ ଶିକ୍ଷକଙ୍କୁ ନୋସନାଲ ଇନ୍‌କ୍ରିମେଣ୍ଟ ଦେଇ ବରିଷ୍ଠତା ପ୍ରଦାନ, ଗ୍ରେଡ୍‌ ପେ’ରେ ଥିବା ଅସଙ୍ଗତି ଦୂରୀକରଣ ଭଳି ୨୧ ଦଫା ଦାବି ନେଇ ଆମେ ଆନ୍ଦୋଳନରେ ରହିବୁ। ତେବେ ଆନ୍ଦୋଳନ ସମୟରେ ସ୍କୁଲ ଖୋଲା ରହିବ। ଜଣେ ଲେଖାଏ ଶିକ୍ଷକ ସ୍କୁଲରେ ରହିବେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଓଷ୍ଟା ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!