ପୁରୀ,୨୪।୯: ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ପୁଣିଥରେ ଅହେତୁକ ବିଳମ୍ବ ଦେଖିବାକୁ ମିଳିଛି। ଶେଷ ଥର ଅଗଷ୍ଟ ୨୭ ତାରିଖରେ ବନକଲାଗି ହୋଇଥିଲା। ଇତିମଧ୍ୟରେ ମାସେ ପୂରିବାକୁ ବସିଥିଲେ ବି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇପାରିନି। ନୀଳାଦ୍ରି ବିଜେ ବେଳେ ଯେଉଁ ଦତ୍ତ ମହାପାତ୍ର ସେବକମାନେ ପ୍ରତି ଗୁରୁବାର ବନକଲାଗି କରିବାକୁ ଅଡ଼ି ବସିଥିଲେ, ସେମାନେ ବି ଅସମ୍ଭବ ନିରବତା ଅବଲମ୍ବନ କରୁଛନ୍ତି। ପୂର୍ବରୁ ଖୋଲାଖୋଲି ଏଭଳି ଅବ୍ୟବସ୍ଥାକୁ ବିରୋଧ କରୁଥିବା ଦତ୍ତ ମହାପାତ୍ର ସେବକ କାର୍ଯ୍ୟାନୁଷ୍ଠାନ ଚାପରେ ସ୍ବତ୍ବଲିପି ଭଙ୍ଗ ବ୍ୟବସ୍ଥାକୁ ବି ଗ୍ରହଣ କରିନେବାକୁ ଶ୍ରେୟ ମଣିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏସବୁ ଭିତରେ ମହାପ୍ରଭୁଙ୍କ ଶ୍ରୀମୁଖ ମଳିନ ପଡ଼ିଲାଣି। ମହାପ୍ରଭୁଙ୍କ ବନକଲାଗି କିପରି ହେବ, କେଉଁଦିନ ହେବ ଓ କେଉଁମାନେ କରିବେ, ଶ୍ରୀମନ୍ଦିର ସ୍ବତ୍ବଲିପି ଓ ବାମଦେବ ସଂହିତାରେ ସ୍ପଷ୍ଟ ଉଲ୍ଲେଖ ରହିଛି। ଶ୍ରୀମନ୍ଦିର ସ୍ବତ୍ବଲିପିର ୪୫ ନମ୍ବର ପୃଷ୍ଠାରେ ଉଲ୍ଲେଖ ରହିଛି, ପ୍ରତି ସପ୍ତାହରେ ବୁଧବାର କିମ୍ବା ଗୁରୁବାର ଦ୍ବିପ୍ରହର ଧୂପ ପରେ ଶ୍ରୀବିଗ୍ରହଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତି ହେବ। ଏହି ନୀତି ପାଇଁ ରତ୍ନଭଣ୍ଡାରରୁ ରୁପା ପିଙ୍ଗଣ ଓ ରୁପା ଷଢ଼େଇ ଯୋଗାଇ ଦିଆଯାଏ। ଚାଙ୍ଗଡ଼ା ମେକାପ ୩ ଖଣ୍ଡ ଶ୍ରୀକପଡ଼ା ଦିଅନ୍ତି। ରାଜାଙ୍କ ସୁପରିଟେଣ୍ଡେଣ୍ଟ ହିଙ୍ଗୁଳ, ହରିତାଳ, ଶଙ୍ଖ ୬ ଭରି ଲେଖାଏଁ, କେଶର ଓ କର୍ପୁର ୨ ଭରି ଲେଖାଏଁ, କଇଁଥ ଅଠା, କସ୍ତୁରି, କଳା ତେଲ ଆଦି ଯୋଗାଇ ଦେବେ। ମହାସ୍ନାନ ପାଇଁ ପଞ୍ଚାମୃତ ଯୋଗାଇଦେବେ। ୭ ପ୍ରକାର ସେବକ ବନକଲାଗି ସେବା ସଂପାଦନ କରିଥାନ୍ତି। ଏମାନେ ହେଲେ ପାଳିଆ ଖୁଣ୍ଟିଆ, ଗରାବଡ଼ୁ, ୩ଜଣ ପାଳିଆ ପୁଷ୍ପାଳକ, ଚାଙ୍ଗଡ଼ା ମେକାପ, ୩ଜଣ ଦତ୍ତ ମହାପାତ୍ର, ମୁଦୁଲି ଓ ପୂଜାପଣ୍ଡା। ପ୍ରାୟ ଦୁଇ ଘଣ୍ଟା ଧରି ବନକଲାଗି କରି ଦତ୍ତ ସେବକ ରତ୍ନ ସିଂହାସନରୁ ଓହ୍ଲାଇବା ପରେ ପାଳିଆ ମେକାପ ସିଂହାସନକୁ ଧୋଇଥାନ୍ତି। ବନକଲାଗି ସରିବା ପରେ ପୂଜାପଣ୍ଡା ସେବକମାନେ ତଳେ ବସି ଠାକୁରଙ୍କୁ ପଞ୍ଚାମୃତରେ ମହାସ୍ନାନ କରିଥାନ୍ତି।ଏବେ ପୁଣିଥରେ ବନକଲାଗିକୁ ନେଇ ବିବାଦ ମୁଣ୍ଡ ଟେକିଛି। ଦତ୍ତ ମହାପାତ୍ର ସେବକଙ୍କ କହିବା କଥା, ପ୍ରତି ସପ୍ତାହରେ ବନକଲାଗି ହେବା କଥା। କିନ୍ତୁ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ରାଧାଷ୍ଟମୀ, ବଳଭଦ୍ର ଜନ୍ମ ଆଦିର ଆଳ ଦେଖାଇ ଶ୍ରୀମନ୍ଦିର ପ୍ରଶାସନ ବନକଲାଗି କରୁନି। ମହାପ୍ରଭୁଙ୍କ ବନକଲାଗି ଅତ୍ୟନ୍ତ ଗୁପ୍ତ ଓ ସମୟ ସାପେକ୍ଷ ନୀତି। ଦ୍ୱିତୀୟ ଭୋଗ ମଣ୍ଡପ ଉଠିବା ପରେ ଠାକୁରମାନଙ୍କୁ ପହୁଡ଼ କରାଯାଇ ଏହି ନୀତି ଆରମ୍ଭ କରାଯାଏ। ଯାହାକି ଅତି କମ୍ରେ ୪ରୁ ୫ ଘଣ୍ଟା ଲାଗିଥାଏ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |