ଆଜିଠାରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ବିଶ୍ବକପ

ନୂଆଦିଲ୍ଲୀ ,,୫ା୧୦:  ଆଜିଠୁ ଭାରତରେ କ୍ରିକେଟ୍ କାର୍ନିଭାଲ୍ । ଭାରତରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟ୍ ମହାକୁମ୍ଭ ବା ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ । ଆଉ କିଛି ଘଣ୍ଟା ପରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରୁ ଆରମ୍ଭ ହେବ ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ଟୁର୍ଣ୍ଣାମେଣ୍ଟ । ବିଶ୍ବକପର ପ୍ରଥମ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ ।କ୍ରିକେଟ ବିଶ୍ବକପର ତ୍ରୟୋଦଶତମ ସଂସ୍କରଣ ଲାଗି କ୍ଷେତ୍ର ପ୍ରସ୍ତୁତ ା ବିସିସିଆଇ ଆନୁକୂଲ୍ୟରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଏହି କ୍ରିକେଟ ମହାକୁମ୍ଭ। ଦୀର୍ଘ ଦେଢ ମାସ ଧରି ଏବେ ଦେଖିବାକୁ ମିଳିବ ବ୍ୟାଟ ଓ ବଲର ରୋମାଞ୍ଚ। ଆସିବ କ୍ରିକେଟ ଫିବର। ଭାରତର ୧୦ଟି ଗ୍ରାଉଣ୍ଡରେ ଏହି ମେଗା ପ୍ରତିଯୋଗିତା ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରତିଯୋଗିତାରେ ଭାଗ ନେବେ ବିଶ୍ବର ଶ୍ରେଷ୍ଠ ୧୦ ଦଳ। ଆୟୋଜକ ଭାରତ ସମେତ ଇଂଲଣ୍ଡ, ଅଷ୍ଟ୍ରେଲିଆ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ନେଦରଲାଣ୍ଡ୍‌ସ, ବାଂଲାଦେଶ,ଆଫଗାନିସ୍ତାନ, ଶ୍ରୀଲଙ୍କା ଏଥିରେ ଭାଗ୍ୟ ପରୀକ୍ଷା କରିବେ।  ପ୍ରଥମ ଦିନ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ ଓ ଗତ ସଂସ୍କରଣର ରନର୍ସ ଅପ୍ ନ୍ୟୁଜିଲାଣ୍ଡ । ସେପଟେ ଅକ୍ଟୋବର ୮ ରେ ଭାରତ ଆରମ୍ଭ କରିବ ବିଶ୍ବକପ ଅଭିଯାନ । ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ ମେନ୍‌ ଇନ ବ୍ଲୁ । ଏହି ମ୍ୟାଚ୍‌ ଚେନ୍ନାଇରେ ଖେଳାଯିବ । ସେହିପରି ଅକ୍ଟୋବର ୧୪ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ ହାଇଭୋଲ୍ଟେଜ୍ ମ୍ୟାଚ୍‌ ।  ଚଳିତ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ଟି ଦଳ ପ୍ରବେଶ ଥିବା ବେଳେ ୪୬ ଦିନରେ ମୋଟ ୪୮ଟି ମ୍ୟାଚ୍ ଖେଳାଯିବ । ନଭେମ୍ବର ୧୯ରେ ଖେଳାଯିବ ଫାଇନାଲ ମ୍ୟାଚ । ଭାରତରେ ବିଶ୍ବକପ ହେଉଥିବା ବେଳେ ଫେଭରିଟ୍‌ ମଧ୍ୟ ରହିଛି ଟିମ୍‌ ଇଣ୍ଡିଆ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!