୧୨ରୁ ୬ ଜିଲାରେ ‘ଲକ୍ଷ୍ମୀ’ ବସ୍‌ ଚଳାଚଳ

ଭୁବନେଶ୍ୱର, ୧୦।୧୦ :ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫-ଟି) ଭି.କେ. ପାଣ୍ଡିଆନ ସୋମବାର ‘ଲକ୍ଷ୍ମୀ’ ଯୋଜନାର ବସ୍‌ କର୍ମଚାରୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ନିଃସ୍ବାର୍ଥପର ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି। ଲୋକସେବା ଭବନ କନ୍‌ଭେନ୍‌ଶନ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ବସ୍‌ ଡ୍ରାଇଭର, କଣ୍ଡକ୍ଟର ଓ ମ୍ୟାନେଜରମାନଙ୍କୁ ମିଶାଇ ୬୫୦ କର୍ମଚାରୀ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣାଞ୍ଚଳର ୬ ଜିଲାରେ ଲକ୍ଷ୍ମୀ ବସ୍‌ ଯୋଜନାରେ ବସ୍‌ ଚଳାଚଳ ଆରମ୍ଭ କରିବ। ଏହି ଜିଲାଗୁଡ଼ିକ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳ। ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲା ପାଇଁ ଏହି ଯୋଜନାର ଶୁଭାରମ୍ଭ କରିବେ। ଲକ୍ଷ୍ମୀ ଯୋଜନାରେ ବସ୍‌ଗୁଡ଼ିକ ପଞ୍ଚାୟତରୁ ବ୍ଲକ୍‌ ଓ ବ୍ଲକ୍‌ଠାରୁ ଜିଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଚାଲିବା ପାଇଁ ଯୋଜନା ରହିଛି।କର୍ମଚାରୀମାନଙ୍କୁ ସମ୍ବୋଧନ କରି ୫-ଟି ସଚିବ କହିଛନ୍ତି ଯେ, ଯୋଗାଯୋଗ ହେଉଛି ଅର୍ଥନୈତିକ ଓ ସାମାଜିକ ଉନ୍ନତିର ମୌଳିକ ଆଧାର। ତେଣୁ ଲୋକଙ୍କୁ ଉଚ୍ଚମାନର ସେବା ଯୋଗାଇଦେବା ଆମର ପ୍ରଥମ ଦାୟିତ୍ୱ ହେବା ଉଚିତ। ଏହି ବସ୍‌ ଯୋଜନାରେ ଛୋଟ ପିଲାଙ୍କଠାରୁ ଆରମ୍ଭକରି ଚାଷୀ, ବ୍ୟବସାୟୀ, ମିଶନ୍‌ ଶକ୍ତିର ମହିଳା ସମସ୍ତେ ଉପକୃତ ହେବେ। ସ୍କୁଲ, କଲେଜର ପିଲାମାନେ ସେମାନଙ୍କ ଶିକ୍ଷାନୁଷ୍ଠାନକୁ ଯାଇପାରିବେ। ଚାଷୀ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ନେଇ ବଜାରରେ ସହଜରେ ବିକ୍ରିବଟା କରିପାରିବେ। ବ୍ୟବସାୟୀମାନେ ସୁରୁଖୁରୁରେ ବ୍ୟବସାୟ କରିପାରିବେ। ରୋଗୀମାନେ ଡାକ୍ତରଖାନାରେ ସୁବିଧାରେ ପହଞ୍ଚିପାରିବେ। ମିଶନ୍‌ ଶକ୍ତି ମହିଳାମାନେ ମଧ୍ୟ ସେମାନଙ୍କ କାର୍ଯ୍ୟ ପାଇଁ ଯାତାୟାତ କରିବା ସହଜ ହେବ ବୋଲି ସେ କହିଛନ୍ତି। ପାଣ୍ଡିଆନ ଆହୁରି କହିଛନ୍ତି, ଲକ୍ଷ୍ମୀ ସମୃଦ୍ଧିର ପ୍ରତୀକ। ତେଣୁ ଏହି ପରିବହନ ସେବା ଗାଁ ଗଣ୍ଡାରେ ସମୃଦ୍ଧି ଆଣିପାରିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!