ଆଜି ଧରାପୃଷ୍ଠରୁ ମେଲାଣି ନେବେ ମାଆ

ଭୁବନେଶ୍ୱର,,୨୫।୧୦: ଆଜି ମାଆଙ୍କୁ ଦିଆଯିବ ମେଲାଣି। ପୂର୍ବ ବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଭୁବନେଶ୍ୱର ଓ କଟକରେ ଭସାଣ ଉତ୍ସବକୁ ଆକର୍ଷଣୀୟ କରିବାକୁ ସବୁ ପୂଜା କମିଟିମାନେ ଭରପୁର ଆୟୋଜନ କରିଛନ୍ତି। କଟକରେ ଗତ ରାତିରୁ ଆରମ୍ଭ ହୋଇସାରିଛି ଭସାଣ। ମେଢ ଗୁଡ଼ିକ ନିର୍ଦ୍ଦିଷ୍ଟ ରୁଟରେ ସାହି ପରିକ୍ରମା କରି ଦେବୀଗଡ଼ା ନିକଟକୁ ଆସୁଛନ୍ତି।ଆଜି ଧରାପୃଷ୍ଠରୁ ମେଲାଣି ନେବେ ଜଗତଜନନୀ ମା’ ଦୁର୍ଗା। ମା’ଙ୍କ ଆଗମନକୁ ନେଇ ପୁଣି ରହିବ ଗୋଟେ ବର୍ଷର ଅପେକ୍ଷା । ଷଷ୍ଠୀଠାରୁ ଆରମ୍ଭ ହୋଇଥିବା ମା’ଙ୍କ ପୂଜାର ଆଜି ଅନ୍ତିମ ପର୍ୟ୍ୟାୟ । ଶେଷରେ ମା’ଙ୍କୁ ବିଦାୟ ଦେବାର ମୂହୂର୍ତ୍ତ ଆସି ପହଞ୍ଚିଛି । ମା’ଙ୍କ ମେଲାଣି ପାଇଁ ଟ୍ୱିନସିଟିର ବିଭିନ୍ନ ଭସାଣି କମିଟି ପକ୍ଷରୁ ଚୁଡ଼ାନ୍ତ ପ୍ରସ୍ତୁତି କରାଯାଇଛି । ମେଢ ଗୁଡ଼ିକ ଏକାଠି ହୋଇ ଶୋଭାଯାତ୍ରାରେ ବାହାରି ବିସର୍ଜିତ ହେବେ । ଡ଼ିଜେ ସହ ପାରମ୍ପରିକ ବାଦ୍ୟରେ ନାଚି ନାଚି ମା’ଙ୍କୁ ମେଲାଣି ଦେବେ ଶ୍ରଦ୍ଧାଳୁ। ତେବେ ଶୃଙ୍ଖଳିତ ଭାବେ କିପରି ଭସାଣି ଶୋଭାଯାତ୍ରାକୁ ସମାପ୍ତ କରାଯିବ ସେ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱରରେ ଭବ୍ୟ ଭସାଣ ଉତ୍ସବ ପାଇଁ ଜୋରଦାର ଆୟୋଜନ ହୋଇଛି। ସହିଦନଗର, ନୟାପଲ୍ଲୀ ଓ ଉତ୍ତର ଭୁବନେଶ୍ୱରରେ ଭସାଣ ଉତ୍ସବରେ ସାମିଲ ହେବେ ବିଭିନ୍ନ ପୂଜା କମିଟି। ମୃଣ୍ମୟୀ ମୁର୍ତ୍ତି ବିସର୍ଜନ ଲାଗି ଦୟାନଦୀ, ବାଙ୍କୁଆଳରେ ଗୋଟିଏ ଲେଖାଏଁ ଓ କୁଆଖାଇରେ ୨ଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। କଟକ ଓ ଭୁବନେଶ୍ୱରରେ ଭସାଣ ଉତ୍ସବ ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଭୁବନେଶ୍ୱରରେ ଆଜି ଅପରାହ୍ନ ୩ଟାରୁ ଆରମ୍ଭ ହୋଇ ରାତି ୧ଟା ପର୍ଯ୍ୟନ୍ତ ମୂର୍ତ୍ତି ବିସର୍ଜନ ଚାଲିବ। ଭସାଣ ଶେଷ ପର୍ଯ୍ୟନ୍ତ ଯାନବାହନ କଟକଣା ରହିବ। ସହିଦ ନଗର ଭସାଣ ବେଳେ ବାଣୀବିହାରରୁ ରୂପାଲି ମଧ୍ୟ ଯାନବାହନ ଯାଇପାରିବ ନାହିଁ। ବାଣୀବିହାରରୁ ସବୁ ଯାନବାହନ ଆଚାର୍ଯ୍ୟବିହାର ଦେଇ ଯିବ। ଜନପଥ ରାସ୍ତାରେ ଯାନବାହନ ମନା ରହିଛି। ସଚିବାଳୟ ରାସ୍ତା ଦେଇ ଯିବାଆସିବା କରାଯିବ। ନୟାପଲ୍ଲୀ ଭସାଣ ପାଇଁ ସିଆରପି ପଟୁ ଗାଡ଼ି ଏକାମ୍ର ପାର୍କ ଦେଇ ଯିବ।ଚନ୍ଦ୍ରଶେଖରପୁରରେ ଭସାଣ ବେଳେ କିଟ୍ ପଟୁ ନାଲକୋ ଛକ ଯିବା ମନା। ସେ ସବୁ ଗାଡ଼ି ନନ୍ଦନକାନନ ରାସ୍ତା ଦେଇ ଜୟଦେବବିହାର ଆଡେ ଯିବ। ଖୋର୍ଦ୍ଧାରୁ ଆସୁଥିବା ଭାରୀଯାନ ଫାୟାର ଷ୍ଟେସନରୁ ଓଭର ବ୍ରିଜ୍‌ରେ ଯିବ। ଖିଲାପ କଲେ ୫ ଶହରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯିବ ବୋଲି କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ଗାଇଡ୍‌ଲାଇନ୍‌ରେ କୁହାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!