ପୁରୀ.,୨୫।୧୦:ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ପୁଣ୍ୟ ମାସ କାର୍ତ୍ତିକ ନୀତି । ଏହି ଅବସରରେ ଶ୍ରୀଜିଉଙ୍କ ରାଧାଦାମୋଦର ବେଶରେ ଦର୍ଶନ ଲାଭ କରୁଛନ୍ତି ଶ୍ରଦ୍ଧାଳୁ। ପ୍ରତିବର୍ଷ କାର୍ତ୍ତିକ ମାସରେ ଶ୍ରୀଜିଉଙ୍କ ରାଧାଦାମୋଦର ବେଶ କରାଯାଇଥାଏ । ତେବେ ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥି ଅର୍ଥାତ ଆଜିଠାରୁ ଶ୍ରୀଜିଉଙ୍କ ପାଖରେ ବାଳଭୋଗ ନୀତି ଆରମ୍ଭ ହୋଇଛି । ଏହା ସହ ଶ୍ରୀକ୍ଷେତ୍ରରେ ମହିଳାମାନେ ସଂକଳ୍ପ କରି ନିଜର କାର୍ତିକ ବ୍ରତ ମଧ୍ୟ ଆରମ୍ଭ କରିଛନ୍ତି ।ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି। ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ କାର୍ତ୍ତିକ ମାସ ନୀତି ପାଳନ କରାଯାଇଥାଏ। ଏହି ମାସରେ ଦୈନନ୍ଦିନ ନୀତି ବ୍ୟତୀତ ସ୍ୱତନ୍ତ୍ର ଭାବେ ଶ୍ରୀବିଗ୍ରହମାନଙ୍କର ରାଧା ଦାମୋଦର ବେଶ, ପଞ୍ଚୁକ ବେଶ,ବାଳଧୂପ, ଦିବା ପହୁଡ଼ ଇତ୍ୟାଦି ଅନୁଷ୍ଠିତ ହୋଇଥାଏ। ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ରତ୍ନ ସିଂହାସନରେ ଅଧିଷ୍ଠିତ ଶ୍ରୀବିଗ୍ରହମାନଙ୍କର ଆକର୍ଷଣୀୟ ରାଧା ଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ। ଦୈନିକ ଅବକାଶ ନୀତି ପରେ ଏହି ବେଶ କରାଯାଏ। ରାଧା ଦାମୋଦର ବେଶରେ ପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ତ୍ରିକଚ୍ଛ ବସ୍ତ୍ର ପରିଧାନ କରିଥାନ୍ତି। ଶ୍ରୀହସ୍ତରେ ସୁବର୍ଣ୍ଣ ନୀଳଭୂଜ ଲାଗି ହୋଇଥାଏ। ବାଉଁଶ ପାତିଆ ଓ କନାର ନିର୍ମିତ ଚୂଳ ତ୍ରିମୁଣ୍ଡି ଶ୍ରୀମସ୍ତକରେ ଉପରେ ରହିଥାଏ। ଚୂଳର ଅଗ୍ର ଭାଗରେ ଚନ୍ଦ୍ରିକା ଶୋଭା ପାଇଥାଏ। ନୀତି ନିର୍ଘଣ୍ଟ ଅନୁସାରେ ଆଜି ସକାଳ ଦ୍ୱାରଫିଟା ନୀତି ଶେଷ ହେବା ପରେ ଶ୍ରୀଜିଉଙ୍କ ଅନ୍ୟାନ ନୀତି କାର୍ୟ୍ୟକ୍ରମ ଜାରି ରହିଛି । ତେବେ ଅବକାଶ ନୀତି ବଢିବା ପରେ ଶ୍ରୀଜିଉଙ୍କ ରାଧାଦାମୋଦର ବେଶ ଅନୁଷ୍ଠିତ ହୋଇଥିଲା । ଏହା ପରେ ରାଧାଦାମୋଦର ବେଶରେ ମହାପ୍ରଭୁଙ୍କ ଦର୍ଶନ ଲାଭ କରୁଛନ୍ତି ହଜାର ହଜାର ସଂଖ୍ୟାର ଶ୍ରଦ୍ଧାଳୁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |