ମହିଳା ସାମ୍ୱାଦିକଙ୍କ ଗାଲ୍‌କୁ ଚାପୁଡ଼ା ପକାଇଲେ ପ୍ରଯୋଜକ ଟୁଟୁ ନାୟକ!

ଭୁବନେଶ୍ୱର,୩।୧୧:ଚର୍ଚ୍ଚାରେ ଓଡ଼ିଶା ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ। ତାଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ଆଉ ଅଭିଯୋଗ ଆଣିଛନ୍ତି ଜଣେ ମହିଳା ସାମ୍ୱାଦିକ। ସେ ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ଗାଲକୁ ଚାପୁଡ଼ା ପକାଇଥିବା ଅଭିଯୋଗ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ଏପରି ଘଟଣା ଘଟିଛି। ତେବେ ପାଚୁଡ଼ ମାରା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଟୁଟୁ ନାୟକ। ଆଜି ଓଡ଼ିଆ ଫିଲ୍ମ ପ୍ରଥାର ପୋଷ୍ଟର ରିଲିଜ ହୋଇଥିଲା। ସେଥିପାଇଁ ସିନେ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ପୋଷ୍ଟର ରିଲିଜ୍‌ ପରେ ମହିଳା ସାମ୍ୱାଦିକା ଦେବସ୍ମିତା ରାଉତ ବାହାକୁ ପଳାଇ ଆସିଥିଲେ। ଫିଲ୍ମର ହିରୋଙ୍କ ବାଇଟ୍‌ ନେବା ପାଇଁ ଅପେକ୍ଷା କରିଥିଲେ।କିନ୍ତୁ ଏହି ସମୟରେ ହଠାତ୍‌ ଟୁଟୁ ନାୟକ ପଛ ପାର୍ଶ୍ୱରୁ ଆସିଥିଲେ। କେହି କିଛି ବୁଝିବା ଆଗରୁ ସେ ସାମ୍ବାଦିକ ଦେବସ୍ମିତାଙ୍କ ଗାଲକୁ ଶକ୍ତ ଚାପୁଡ଼ା ମାରିଥିଲେ। ପରେ ତାଙ୍କୁ ସେ ଠେଲି ଦେଇଥିଲେ। ଫଳରେ ଦେବସ୍ମିତାଙ୍କ ହାତରୁ ବୁମ୍‌ ଓ ଫୋନ୍‌ ଖସି ପଡ଼ିଥିଲା। ସେ (ଟୁଟୁ) ବୁମ୍‌ ଉଠାଇବା ପରିବର୍ତ୍ତେ ହସିଦେଇ ସେଠାରୁ ପଳାଇ ଯାଇଥିବା ଦେବସ୍ମିତା ଅଭିଯୋଗ କରିଛନ୍ତି।ଟୁଟୁ ନାୟକଙ୍କ ଏପରି ବ୍ୟବହାର ମୋତେ ଅତିଷ୍ଠ କରିଛି। ତେଣୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦେବସ୍ମିତା ଦାବି କରିଛନ୍ତି। ଦେବସ୍ମିତା ଏନେଇ ଖାରବେଳ ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି କମିଶନରେଟ୍‌ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ଫିଲ୍ମ ହଲ୍‌ରେ ପହଞ୍ଚି ସିସିଟିଭି ଯାଞ୍ଚ କରୁଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!