କୋଲକାତା,୫ା୧୧: ଚଳିତ ଆଇସିସି ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିସାରିଥିବା ଆୟୋଜକ ଭାରତ ଆଜି ତା’ର ଅଷ୍ଟମ ମୁକାବିଲାରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ଭେଟିବ। ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଜିତି ଭାରତ ତା’ର ବିଜୟଧାରା ବଜାୟ ରଖିବାକୁ ପ୍ରୟାସ କରିବ। ଭାରତ ତା’ର ପ୍ରଥମ ୭ଟି ମ୍ୟାଚ୍ ଜିତି ୧୪ ପଏଣ୍ଟ ହାସଲ କରିବା ସହ ପଏଣ୍ଟ ତାଲିକାର ଶୀର୍ଷରେ ରହି ପ୍ରଥମ ଦଳ ଭାବେ ସେମିକୁ ଉଠିଛି। ବିଶ୍ବ କ୍ରିକେଟରେ ଭାରତର ଏକଦା ବ୍ୟାଟିଂକୁ ନେଇ ସଦାସର୍ବଦା ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଥାଏ। କିନ୍ତୁ ଚଳିତ ୨୦୨୩ ଦିନିକିଆ ବିଶ୍ବକପରେ ବିପରୀତ ଦେଖିବାକୁ ମିଳିଛି। ଭାରତ ବ୍ୟାଟିଂ ଅପେକ୍ଷା ବୋଲିଂରେ ବେଶ ଶକ୍ତିଶାଳୀ ମନେ କରାଯାଉଛି। ମହମ୍ମଦ ସାମି, ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ, କୁଳଦୀପ୍ ଯାଦବ ଓ ରବୀନ୍ଦ୍ର ଜାଡେଜାଙ୍କୁ ନେଇ ଗଠିତ ଭାରତୀୟ ବୋଲିଂ ବାହିନୀ ଚଳିତ ବିଶ୍ବକପରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ସାମି ୩ଟି ମ୍ୟାଚରୁ ୧୪ଟି, ବୁମ୍ରା ୧୫ଟି, କୁଳଦୀପ୍ ଯାଦବ ୧୦, ରବୀନ୍ଦ୍ର ଜାଡେଜା ୯ ଓ ମହମ୍ମଦ ସିରାଜ୍ ୯ଟି ୱିକେଟ ନେଇଛନ୍ତି। ଦ୍ରୁତ ଓ ସ୍ପିନ ବୋଲିଂ ବିଭାଗରେ ଭାରତ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରୁଛି।ସେହିପରି ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲିଂକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବାବେଳେ ଚଳିତ ବିଶ୍ବକପରେ ବ୍ୟାଟିଂ ବିଭାଗରେ ଦୁର୍ଦର୍ଶ ଭାବେ ଉଭା ହୋଇଛି। କ୍ବିଣ୍ଟନ ଡିକକ, ଆଇଡାନ ମାର୍କରାମ ଓ ହେନରିକ କ୍ଲାସେନ ଓ ରଶି ଭାନ ଡର ଡୁସେନଙ୍କ ଭଳି ଦୁର୍ଦର୍ଷ ବ୍ୟାଟ୍ସମ୍ୟାନ ଭାବେ ଉଭା ହୋଇଛନ୍ତି। ଯାହା ବିପକ୍ଷ ଦଳ ପାଇଁ ଚିନ୍ତାର ବିଷୟ ହୋଇଛି। ଡିକକ୍ ୪ଟି ଶତକ ସହ ୫୪୫ରନ, ମାର୍କରାମ ୩୬୨ରନ,ଡୁସେନ ୩୫୩ରନ ଓ କ୍ଲାସେନ ୩୧୫ରନ କରିଛନ୍ତି।କଲକାତାର ଇଡେନଗାର୍ଡେନରେ ରବିବାର ଖେଳାଯିବାକୁ ଥିବା ମ୍ୟାଚରେ ମୁଖ୍ୟତଃ ଭାରତ ବୋଲିଂ ଓ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ମଧ୍ୟରେ ଲଢେଇ ହେବା ନେଇ ଆଶା କରାଯାଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |