ଭୁବନେଶ୍ୱର,,୭ା୧୧: ପୂର୍ବତନ ବାଚସ୍ପତି ତଥା ୫ଥରର ବିଧାୟକ ମହେଶ୍ୱର ମହାନ୍ତିଙ୍କ ପରଲୋକ ଘଟିଛି। । ୬୭ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହେଶ୍ବର ମହାନ୍ତିଙ୍କ ପରଲୋକ। ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମ ବେଦନା ପ୍ରକାଶ କରିଛନ୍ତି।ତାଙ୍କ ବିୟୋଗରେ ବିଜେଡି ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏକ ଯୁଗର ଶେଷ ହୋଇଛି ବୋଲି ସେ କହିଛନ୍ତି। ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବାରେ ତାଙ୍କର ଅବଦାନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ଶୋକ ସନ୍ତପ୍ତ ପରିବାରଙ୍କ ପ୍ରତି ହୃଦୟରୁ ଗଭୀର ସମବେଦନା ଜଣାଇଛନ୍ତି ସାଂସଦ ମାନସ ମଙ୍ଗରାଜ।ସେହିପରି ବିଜେଡି ବିଧାୟକ ତଥା ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦସ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଆମ ଦଳର ବରିଷ୍ଠ ନେତା, ପୂର୍ବତନ ବିଧାୟକ ଓ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ। ଜନସେବାରେ ତାଙ୍କ ଉତ୍ସର୍ଗୀକୃତ ଜୀବନ ଆଦର୍ଶ ଆମ ପାଇଁ ପ୍ରେରଣା ହୋଇ ରହିବ। ତାଙ୍କ ବିୟୋଗ ଓଡ଼ିଶା ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ତାଙ୍କ ଅମରଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ନିଜର ଶୋକବାର୍ତ୍ତାରେ କହିଛନ୍ତି, ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି, ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ମହେଶ୍ୱର ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ରାଜ୍ୟ ରାଜନୀତିରେ ସେ ଜଣେ କୁଶଳୀ ରାଜନେତା ଥିଲେ। ବିଶେଷ ଭାବରେ ଲମ୍ବା ସମୟ ଧରି ଜନପ୍ରତିନିଧି ଭାବରେ ପୁରୀବାସୀଙ୍କ ପାଇଁ ସେ କରିଥିବା କାର୍ଯ୍ୟ ସବୁ ଦିନ ପାଇଁ ମନେରହିବ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି।ବିଶିଷ୍ଟ ରାଜନେତା ମହେଶ୍ଵର ମହାନ୍ତିଙ୍କ ବିୟୋଗରେ ଛତିଶଗଡ ରାଜ୍ୟପାଳ ଶ୍ରୀ ବିଶ୍ଵଭୂଷଣ ହରିଚନ୍ଦନ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ଵର୍ଗତ ମହାନ୍ତି ଓଡିଶା ବିଧାନସଭାରେ ବିଧାୟକ, ବାଚସ୍ପତି ଓ ମନ୍ତ୍ରୀ ଭାବରେ ତାଙ୍କର ଦାୟିତ୍ଵକୁ ସୂଚାରୁ ରୂପେ ତୁଲାଇଥିଲେ । ତାଙ୍କର ବିୟୋଗ ଓଡିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି । ଏହି ଦୁଃଖଦ ମୁହୂର୍ତ୍ତରେ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମହେଶ୍ଵର ମହାନ୍ତିଙ୍କ ସ୍ଵର୍ଗତ ଆତ୍ମାକୁ ସଦଗତି ଜଣାଇବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ବିୟୋଗରେ ଓଡିଶା ପିସିସି ସଭାପତି ଶରତ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଶୋକ ପ୍ରକାଶ କରିଥିବା ବେଳେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ଶୋକପ୍ରକାଶ କରିଛନ୍ତି। ମହେଶ୍ୱର ଭାଇ ଜଣେ ଅନୁଷ୍ଠାନ। ସେ ତାଙ୍କ ଜୀବନ ସାରା ସଂଗ୍ରାମ କରିଆସିଛନ୍ତି। ବିକାଶ ହେଉଛି ମହେଶ୍ୱର ମହାନ୍ତିଙ୍କ ମୂଳ ଉଦ୍ଦେଶ୍ୟ। ଆଜି ମୋ ପାଇଁ ଗୋଟେ ଖରାପ ଦିନ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |