ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର,୭ା୧୧: ପୂର୍ବତନ ବାଚସ୍ପତି ତଥା ୫ଥରର ବିଧାୟକ ମହେଶ୍ୱର ମହାନ୍ତିଙ୍କ ପରଲୋକ ଘଟିଛି। । ୬୭ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହେଶ୍ବର ମହାନ୍ତିଙ୍କ ପରଲୋକ ହୋଇଛି । ଗତ ୧ ତାରିଖ ରାତିରେ ମହେଶ୍ବର ମହାନ୍ତି ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ପ୍ରଥମେ ତାଙ୍କୁ ନ୍ୟୁରୋଲୋଜି ବିଭାଗରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଭୋର ୩ଟା ୨୫ରେ ତାଙ୍କର ପରଲୋକ ହୋଇଥିବା ସୂଚନା। ମହେଶ୍ବରଙ୍କ ଉପରେ ଜୀବନକାଳ ମଧ୍ୟରେ ଦୁଇ ଦୁଇ ଥର ମରଣାନ୍ତକ ଆକ୍ରମଣ ହୋଇଥିଲା। ୨୦୧୪ ଫେବୃଆରୀ ୨୨ ତାରିଖରେ ସେ ଆଇନ ଏବଂ ଯୋଜନା ସଂଯୋଜନା ମନ୍ତ୍ରୀ ଥିବା ସମୟରେ ଆକ୍ରମଣ ହୋଇଥିଲା । ଏକ ସଭା ସାରି ନିଜ ସ୍କୁଟରରେ ଫେରୁଥିବା ବେଳେ ପୁରୀ ଅମଲା ଛକ ନିକଟରେ ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି କରିଥିଲା। ଗୋଟେ ଗୁଳି ତାଙ୍କ କାନ୍ଧ ଓ ଅନ୍ୟଟି ତାଙ୍କ ହାତରେ ବାଜିଥିଲା।ମହେଶ୍ୱର ମହାନ୍ତି ଛାତ୍ର ଜୀବନରୁ ରାଜନୀତି ସହ ଜଡ଼ିତ ଥିଲେ । ୧୯୭୮ରୁ ୨୦୧୯ ମସିହା ପର୍ଯ୍ୟନ୍ତ ମହେଶ୍ୱର ନିର୍ବାଚିତ ଜନପ୍ରତିନିଧି ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ । ପୁରୀ ପୌର ପରିଷଦର ସଦସ୍ୟ ଓ ପରେ ଅଧ୍ୟକ୍ଷ ଏବଂ ୫ଥର ବିଧାୟକ ହୋଇଥିବା ମହେଶ୍ୱର ୨୦୧୯ ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିଲେ । ତେବେ ସକ୍ରିୟ ରାଜନୀତିରୁ ସେ ଦୂରେଇ ନଯାଇ ପୁରୀରେ ବିଜେଡିର ସାଂଗଠନିକ କାର୍ଯ୍ୟ ଜାରି ରଖିଥିଲେ । ଦଳ ତାଙ୍କୁ ପୁରୀ ବିଜେଡି ସଭାପତି ଓ ପରେ ପର୍ଯ୍ୟବେକ୍ଷକ ଦାୟିତ୍ୱ ନ୍ୟସ୍ତ କରିଥିଲା ।୧୯୯୫ ମସିହାରେ ସେ ଜନତା ଦଳ ଟିକେଟରେ ସେ ପ୍ରଥମଥର ପାଇଁ ପୁରୀ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ । ସେବେଠୁ ସେ ୨୦୦୦,୨୦୦୪,୨୦୦୯ ଓ ୨୦୧୪ରେ କ୍ରମାଗତ ୫ଥର ବିଧାନସଭାକୁ ନିର୍ବାଚନ ହୋଇଥିଲେ। ତେବେ ୨୦୧୯ ମସିହା ସାଧାରଣ ନିର୍ବାଚନରେ ତାଙ୍କୁ ପରାଜୟର ଶିକାର ହେବାକୁ ପଡ଼ିଥିଲା । ୨୦୦୪ ମେ’ ୨୧ରୁ ୨୦୦୮ ମାର୍ଚ୍ଚ ୩୧ତାରିଖ ପର୍ୟ୍ୟନ୍ତ ସେ ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ କାର୍ୟ୍ୟ କରିଥିଲେ । ବାଚସ୍ପତି ଭାବେ ତାଙ୍କର କେତେକ ରୁଲିଂ ବିଧାନସଭାରେ ନୂଆ ପରମ୍ପରା ସୃଷ୍ଟି କରିଥିଲା । ବିଧାନସଭାର ଦୈନିକ ଅଧିବେଶନର ସମୟ ନିର୍ଦ୍ଧାରଣ ଶ୍ରୀ ମହାନ୍ତି ବାଚସ୍ପତି ଥିବା ସମୟରେ ହୋଇଥିଲା। ଗୃହର କାର୍ୟ୍ୟ ଅତ୍ୟନ୍ତ ଜରୁରୀ ଆବଶ୍ୟକତା ନଥିଲେ ସନ୍ଧ୍ୟା ୭ଟା ପରେ ଚାଲିବ ନାହିଁ ବୋଲି ଶ୍ରୀ ମହାନ୍ତି ରୁଲିଂ ଦେଇଥିଲେ । ବିଧାନସଭା ଗୃହ ଭିତରେ ମୋବାଇଲ ଫୋନ୍ ଉପଯୋଗ ଉପରେ କଟକଣା ଜାରି କରି ସେ ଚର୍ଚ୍ଚାକୁ ଆସିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!