ଭୁବନେଶ୍ୱର,୭ା୧୧ :ଆସନ୍ତା ୧୨ ତାରିଖରେ ଆଲୋକର ପର୍ବ ଦୀପାବଳି ପାଳନ ହେବ।ରାଜଧାନୀ ଦିଲ୍ଲୀ ପ୍ରଦୂଷଣରେ ଅଣନିଃଶ୍ୱାସୀ ହେଉଛି। ସେଠାରେ ସ୍କୁଲ ବନ୍ଦ ସହ ଶିଳ୍ପାନୁଷ୍ଠାନ ଓ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଜାରି କରାଯାଇଛି। ସହରାଞ୍ଚଳଗୁଡ଼ିକ ବେଳକୁ ବେଳ ଅତି ପ୍ରଦୂଷିତ ହେବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ଅନେକ ସହର ପ୍ରଦୂଷିତ ହେବାରେ ଲାଗିଛି। ଆସନ୍ତା ୧୨ ତାରିଖରେ ଆଲୋକର ପର୍ବ ଦୀପାବଳି ପାଳନ ହେବ। ଏହି ଅବସରରେ ଆତସବାଜିରେ ସାରା ରାଜ୍ୟ କମ୍ପିବ। ଏଥିଯୋଗୁ ବାୟୁ ଅତିମାତ୍ରାରେ ପ୍ରଦୂଷିତ ହେବ। ବାୟୁରେ କାର୍ବନ ଡାଇଅକ୍ସାଇଡଠାରୁ ଆରମ୍ଭ କରି କାର୍ବନ ମନୋକ୍ସାଇଡ, ନାଇଟ୍ରୋଜେନ ଡାଇଅକ୍ସାଇଡ, ସଲଫର ଡାଇଅକ୍ସାଇଡ ଭଳି ବିଷାକ୍ତ ପଦାର୍ଥ ବାୟୁ ମଣ୍ଡଳରେ ଭରି ଯିବ। ଶୀତଦିନ ଆରମ୍ଭ ହୋଇଥିବାରୁ ଏବେ ଅଧିକାଂଶ ଲୋକ ଥଣ୍ଡା ଓ କାଶରେ ଆକ୍ରାନ୍ତ ହୋଇଛନ୍ତି। ବାୟୁ ପ୍ରଦୂଷଣ ଯୋଗୁ ଏହା ଆହୁରି ସଂକ୍ରମିତ ହେବାର ସମ୍ଭାବନା ରହିଛି। କେବଳ ମନୁଷ୍ୟ ନୁହନ୍ତି ଜୀବଜନ୍ତୁ ମଧ୍ୟ ଆତସବାଜି ଯୋଗୁ ପ୍ରଭାବିତ ହେବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଦୀପାବଳି ପାଇଁ ସୋମବାର ଏକ ଗାଇଡ୍ ଲାଇନ ଜାରି କରାଯାଇଛି। ୧୨୫ ଡେସିବଲରୁ ଊର୍ଦ୍ଧ୍ୱ ଶବ୍ଦ ସୃଷ୍ଟି କରୁଥିବା ବାଣ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ରାତି ୧୦ଟାରୁ ସକାଳ ୬ଟା ଯାଏ ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି। ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ନ୍ୟାୟାଳୟ, ଧାର୍ମିକ ସ୍ଥଳର ୧୦୦ ମିଟର ମଧ୍ୟରେ କୌଣସି ପ୍ରକାର ଶବ୍ଦକୁ ବାରଣ କରାଯାଇଛି। ୧୨୫ ଡେସିବଲରୁ ଊର୍ଦ୍ଧ୍ୱ ଶବ୍ଦ ସୃଷ୍ଟି କରୁଥିବା ବାଣ ପ୍ରସ୍ତୁତି, ବିକ୍ରି ଓ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି। ଏଥିସହିତ ଅତି ଉଚ୍ଚ ଶବ୍ଦ କରୁଥିବା ଯନ୍ତ୍ରାଂଶ, ଡିଜେ ଆଦି ୬୫ ଡେସିବଲକୁ ଅତିକ୍ରମ ନ କରିବାକୁ ପରାମର୍ଶ ଦିଆଯାଇଛି। ଉପରୋକ୍ତ ଗାଇଡ୍ ଲାଇନ ଖିଲାପ କଲେ ଓଡ଼ିଶା (ଆତସବାଜି ଓ ଡାକବାଜି ଯନ୍ତ୍ର ପ୍ରବିଧାନ) ଆଇନ ୧୯୫୮ ଏବଂ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ୨୦୦୦ ଅନୁଯାୟୀ ଦଣ୍ଡ ବିଧାନ କରାଯିବ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |