୨୦୨୪ ବର୍ଷ ପାଇଁ ଛୁଟି ତାଲିକା

ଭୁବନେଶ୍ଵର, ୭।୧୧:ଓଡ଼ିଶା ସରକାର ଆଜି ୨୦୨୪ କ୍ୟାଲେଣ୍ଡର ବର୍ଷ ପାଇଁ ସରକାରୀ ଛୁଟି ତାଲିକା ଜାରି କରିଛନ୍ତି । ୨୦୨୪ କ୍ୟାଲେଣ୍ଡର ବର୍ଷରେ ୩୦ଟି ଛୁଟି ଦିବସ ରହିଛି । ଚଳିତ ୨୦୨୩ କ୍ୟାଲେଣ୍ଡର ବର୍ଷରେ ୨୭ଟି ସରକାରୀ ଛୁଟିଦିବସ ରହିଛି । ଦ୍ୱିତୀୟ ଶନିବାର ଓ ରବିବାରରେ ୫ଟି ଛୁଟିଦିନ ପଡ଼ିଛି । ସେହିପରି ରବିବାର ଓ ଶନିବାରରେ ୩ଟି ଇଚ୍ଛାଧୀନ ଛୁଟିଦିନ ପଡ଼ିଛି ।ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୨୦୨୪ କ୍ୟାଲେଣ୍ଡର ବର୍ଷ ପାଇଁ ଆଜି ଛୁଟି ତାଲିକା ଜାରି ହୋଇଛି । ତାଲିକାରେ ୩୦ଟି ସରକାରୀ ଛୁଟି ଦିବସ ଓ ୬ଟି ଇଚ୍ଛାଧୀନ ଛୁଟି ଦିବସ ରହିଛି । କର୍ମଚାରୀମାନେ ଏହି ୬ଟି ଇଚ୍ଛାଧୀନ ଛୁଟି ମଧ୍ୟରୁ ଗୋଟିଏ ଦିନ ନିଜ ସୁବିଧା ଅନୁସାରେ ଛୁଟି ନେଇପାରିବେ ।ଜାନୁୟାରୀ ୧୭ରେ ଗୁରୁଗୋବିନ୍ଦ ସିଂଙ୍କ ଜନ୍ମଦିନ, ଜାନୁୟାରୀ ୨୫ରେ ବ୍ରାହ୍ମସମାଜ ପ୍ରତିଷ୍ଠା ଦିବସ, ମାର୍ଚ୍ଚ ୩୦ରେ ଇଷ୍ଟର ଶନିବାର, ମେ’ ୨୨ରେ ରାଜା ରାମମୋହନ ରାୟ ଜନ୍ମଦିନ, ଜୁଲାଇ ୧୫ରେ ବାହୁଡ଼ା ଯାତ୍ରା ଓ ଡିସେମ୍ବର ୨୪ରେ ଖ୍ରୀଷ୍ଟମାସ ପର୍ବକୁ ଇଚ୍ଛାଧୀନ ଛୁଟି ଭାବେ ସରକାର ଘୋଷଣା କରିଛନ୍ତି । ସେହିପରି ୨୦୨୪ ମସିହାରେ ଏପ୍ରିଲ ୭ ରବିବାରରେ ‘ସବ୍‌-ଇ-କଦର’ , ନଭେମ୍ବର ୧୦ ରବିବାରରେ ଅଁଳାନବମୀ ଓ ନଭେମ୍ବର ୨୩ ଚତୁର୍ଥ ଶନିବାରରେ ପ୍ରଥମାଷ୍ଟମୀ ପଡ଼ୁଥିବାରୁ ଏହି ସବୁ ଇଚ୍ଛାଧୀନ ଛୁଟି ପ୍ରଭାବିତ ହୋଇଛି ।ରବିବାର ଏପ୍ରିଲ ୧୪ରେ ମହାବିଷୁବ ସଂକ୍ରାନ୍ତି, ଜୁଲାଇ ୭ ରବିବାର ରଥଯାତ୍ରା, ସେପ୍ଟେମ୍ବର ୮ରେ ରବିବାରରେ ନୂଆଖାଇ, ଅକ୍ଟୋବର ୧୨ରେ ଦ୍ୱିତୀୟ ଶନିବାର ମହାନବମୀ ଓ ଅକ୍ଟୋବର ୧୩ ରବିବାର ବିଜୟାଦଶମୀ ପଡ଼ୁଛି । ଏସବୁ ଦିନଗୁଡ଼ିକ ସାଧାରଣତଃ ଛୁଟି ଦିବସ ଘୋଷଣା ହୋଇଥାଏ ।ଏହି ଛୁଟିଦିନଗୁଡ଼ିକୁ ବାଦ୍ ଦେଲେ ରାଜ୍ୟ କର୍ମଚାରୀମାନଙ୍କୁ ୪୬ଟି ରବିବାର ଓ ୨୨ଟି ଦ୍ୱିତୀୟ ଓ ଚତୁର୍ଥ ଶନିବାର ଭାବେ ଛୁଟିଦିନ ମିଳିବ । ଅର୍ଥାତ୍ ସରକାରୀ କର୍ମଚାରୀଙ୍କୁ ମୋଟ ଉପରେ ୩୦ଟି ସରକାରୀ ଛୁଟିଦିନ, ଗୋଟିଏ ଇଚ୍ଛାଧୀନ ଛୁଟି ସମେତ ରବିବାର ଓ ଶନିବାର(ଦ୍ୱିତୀୟ ଓ ଚତୁର୍ଥ)ରେ ୬୮ଟି ଛୁଟିଦିନ ମିଶାଇ ମୋଟ ଉପରେ ୯୯ଟି ଛୁଟିଦିନ ମିଳିବ ।ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଅନ୍ୟ ଏକ ବିଜ୍ଞପ୍ତିରେ ରାଜ୍ୟରେ ଥିବା ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ ସଂସ୍ଥାଗୁଡ଼ିକ ନିମନ୍ତେ ୨୦ଟି ସରକାରୀ ଛୁଟି ଦିବସ ଘୋଷଣା କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!