ଭୁବନେଶ୍ୱର, ୮।୧୧:ରାଜ୍ୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ସମେତ ଝାରସୁଗୁଡ଼ା, କୋରାପୁଟର ଜୟପୁର, କଳାହାଣ୍ଡିର ଉକ୍ରେଲା, ରାଉରକେଲା ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇଛି ।ତେବେ ଆଗାମୀ ଦିନରେ ରାଜ୍ୟରେ ଆଉ ଦୁଇଟି ବିମାନବନ୍ଦର କାର୍ଯ୍ୟକ୍ଷମ କରାଇବା ନେଇ ରାଜ୍ୟ ସରକାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ଦିନକୁ ଦିନ ଆନ୍ତଃରାଜ୍ୟ, ବିଦେଶ ଯାତ୍ରୀଙ୍କ ସଂଖ୍ୟାରେ ଅଭିବୃଦ୍ଧି ଘଟୁଥିବା ବେଳେ ବିମାନବନ୍ଦରରେ ବିମାନ ସଂଖ୍ୟା ମଧ୍ୟ ବଢ଼ୁଛି । ତେଣୁ ଏପରି ସ୍ଥିତିରେ ସୁରକ୍ଷା ଦିଗକୁ ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ । ତେଣୁ ଅଂଶୀଦାରମାନଙ୍କ ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ ପ୍ରଥମ ଥର ପାଇଁ ଓଡ଼ିଶାରେ ଏଭିଏସନ ସିକ୍ୟୁରିଟି ଟ୍ରେନିଂ ଇନଷ୍ଟିଚ୍ୟୁଟ (ଏଏସଟିଆଇ) ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି ।ଏଏସଟିଆଇ ପ୍ରତିଷ୍ଠା ହେଲେ ସେଠାରେ ବିମାନ ଚାଳନା ସହ ପ୍ରତ୍ୟେକ ଅଂଶୀଦାର ବିଭାଗର କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏହାଫଳରେ ସେମାନଙ୍କର ଦକ୍ଷତା ବୃଦ୍ଧି ହେବା ସହିତ ସେମାନେ ବିମାନବନ୍ଦରରେ କୌଣସି ଅପ୍ରୀତିକର ପରିସ୍ଥିତି ଘଟିଲେ ତା’ର ସଫଳ ମୁକାବିଲା କରିପାରିବେ । ଢେଙ୍କାନାଳର ବାରସାଇ ଏୟାରଷ୍ଟ୍ରିପରେ ବିଜୁ ପଟ୍ଟନାୟକ ଏରୋସ୍ପେଶ ଏକାଡେମୀ ନାମରେ ଏକ ବିଶ୍ୱସ୍ତରୀୟ ବିମାନ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ହେବ । ସେଠାରେ ଏକସଙ୍ଗେ ୫୦୦ ପାଇଲଟ୍ ଓ ଅନ୍ୟ କର୍ମଚାରୀଙ୍କୁ ବିଭିନ୍ନ ପ୍ରଶିକ୍ଷଣ ଦିଆଯିବ । ସେଥିପାଇଁ ରାଜ୍ୟ ସରକାର ୨୭୫ କୋଟି ଟଙ୍କା ବ୍ୟୟବରାଦ କରିଥିବା ବେଳେ ଭାରତ ସରକାରଙ୍କ ବ୍ୟୁରୋ-ଅଫ୍-ସିଭିଲ୍ ଏଭିଏସନ୍ ଆଣ୍ଡ ସିକ୍ୟୁରିଟିଜ୍ (ବିସିଏଏସ) ବୈଷୟିକ ସହାୟତା ଯୋଗାଇବ । ନିକଟରେ ବିସିଏଏସର ଶୀର୍ଷ ଅଧିକାରୀମାନେ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ବିମାନବନ୍ଦରର ପରିଚାଳନା ଓ ସୁରକ୍ଷା ସମ୍ପର୍କିତ ଆବଶ୍ୟକତା ନେଇ ନେଇ ସମୀକ୍ଷା କରିଥିଲେ ।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଲିଆନ୍ସ ଏୟାର୍କୁ ଭାଏବଲ୍ ଗ୍ୟାପ୍ ଫଣ୍ଡିଂ(ଭିଜିଏଫ୍) ଦେବାକୁ ଘୋଷଣା କରାଯାଇଛି। ରାଜ୍ୟରେ ବିମାନ ସେବାକୁ ବ୍ୟାପକ କରିବା ସହ ଅର୍ଥନୈତିକ ସମୃଦ୍ଧିକୁ ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। ରାଉରକେଲା-କୋଲକାତା ଏବଂ ଭୁବନେଶ୍ବର-ଝାରସୁଗୁଡ଼ା ପାଇଁ ସପ୍ତାହକୁ ୭ଟି ଫ୍ଲାଇଟ୍ ପାଇଁ ଏହି ଭିଜିଏଫ୍ ଲାଗୁ ହେବ। ଅର୍ଥାତ୍, ଯେତିକି ଟିକଟ୍ ଖାଲି ରହିବ, ତା’ର ଅର୍ଥ ଭରଣା କରିବେ ରାଜ୍ୟ ସରକାର। ଆଗାମୀ ୬ ମାସ ପର୍ଯ୍ୟନ୍ତ ରାଜ୍ୟ ପରିବହନ ବିଭାଗ ଶତ ପ୍ରତିଶତ ଭିଜିଏଫ୍ ପ୍ରଦାନ କରିବେ। ରାଜ୍ୟ ସରକାରଙ୍କ ଏହି ଘୋଷଣା, ସହରବାସୀଙ୍କୁ ବହୁମାତ୍ରାରେ ଆଶ୍ବସ୍ତ କରିଛି। କାରଣ, ରାଉରକେଲାରୁ ଭୁବନେଶ୍ବରକୁ ସଂଯୋଗ କରୁଥିବା ବିମାନରେ ଯାତ୍ରୀ ସଂଖ୍ୟା ଆଶାନୁରୂପ ରହୁଥିବାବେଳେ କୋଲକାତାକୁ ଯାତ୍ରୀ ହେବେ ନା ନାହିଁ, ସେନେଇ ସନ୍ଦେହ ପ୍ରକାଶ ପାଇଥିଲା। ଯାତ୍ରୀ ସଂଖ୍ୟା ଅତି ନଗଣ୍ୟ ହେଲେ ବିମାନ ସେବା ବାତିଲ ହେବାର ଆଶଙ୍କା ପ୍ରକାଶ ପାଇଥିଲା। ଏବେ ଏହି ସମସ୍ୟା ପ୍ରାୟତଃ ସମାଧାନ ହୋଇସାରିଥିବାବେଳେ ଅନ୍ତତଃ କମ୍ଯାତ୍ରୀ ସେବାରେ ବାଧକ ହେବନାହିଁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |