ମାର୍ଶାଘାଇ ,,୧୧।୧୧: ଚଳନ୍ତା ବସରେ ଅଗ୍ନିକାଣ୍ଡ ଘଟଣାରେ ଓଡ଼ିଶାର ଜଣେ ମହିଳା ମୃତ ଘଟିବା ଖବର ସାମ୍ନାକୁ ଆସିଛି । ଶୁକ୍ରବାର ରାତି ୧୦ଟା ସୁଦ୍ଧା କୋଲକତାର ବାବୁଘାଟ ବସ୍ ଟର୍ମିନାଲରୁ ପାରଦୀପ ଆସୁଥିବା ଏକ ଯାତ୍ରୀବାହୀ ଚଳନ୍ତା ବସରେ ନିଆଁ ଲାଗିଯାଇଥିଲା । ଏହି ବସରେ ୪୫ ରୁ ୫୦ ଜଣ ଯାତ୍ରୀ ଥିବା ସୂଚନା ମିଳିଛି ।ସୂଚନା ଅନୁଯାୟୀ, ଶିବମ୍ ଟ୍ରାଭେଲ୍ସ ରେ ୪୫ରୁ ୫୦ ଜଣ ଯାତ୍ରୀ ପାରଦୀପ ଆସୁଥିଲେ । ସେମାନଙ୍କ ମଧ୍ୟରୁ ୩୬ ଜଣ ଆହତ ଜଣାପଡ଼ିଛି । ଏଥିରେ ୨୫ ଜଣ ଓଡ଼ିଆ ଥିଲେ, ଏମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଅଙ୍ଗୁଳି ପଞ୍ଚାୟତ ନୋଳିଆ ଗାଁର ବୋଲି ସୂଚନା ମିଳିଛି। ତାଙ୍କ ନାମ ପୁଷ୍ପାଞ୍ଜଳି ଦାସ ବୋଲି ଜଣାଯାଇଛି। ପୁଷ୍ପାଞ୍ଜଳିଙ୍କ ସ୍ବାମୀ ରାଜେନ୍ଦ୍ର ଦାସଙ୍କ କହିବା ଅନୁଯାୟୀ, ସେ ତାଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି(୩୪), ପୁଅ(୭) ଓ ଝିଅ(୧୧) ବସରେ ନିଜ ଗାଁକୁ ଆସୁଥିଲେ। ରାତିରେ ବସରେ ନିଆଁଲାଗିଥିବା ଜାଣି ପ୍ରଥମେ ସ୍ତ୍ରୀ ପୁଷ୍ପାଞ୍ଜଳି ତାଙ୍କୁ ବାହାରକୁ ଚାଲିଯିବା ଲାଗି କହିଥିଲେ। ଏହାପରେ ସେ ଝିଅକୁ ଧରି ବସ୍ ବାହାରକୁ ଚାଲିଆସିଥିଲେ। ଏହାପରେ ନିଜର ପୁଅକୁ ସେ ଝରକା ବାଟେ ଦେଇଥିଲେ। ତାପରେ ବୃଦ୍ଧ ଦମ୍ପତି ଯାତ୍ରୀଙ୍କୁ ପୁଷ୍ପାଞ୍ଜଳି ବସ୍ ବାହାରକୁ ଆଣିବା ଲାଗି ପ୍ରଚେଷ୍ଟା ଚଳାଇଥିଲେ। ହେଲେ ସେତେବେଳକୁ ତାଙ୍କ ଶରୀରରେ ନିଆଁଲାଗିଯାଇଥିଲା। ଅନ୍ୟକୁ ଉଦ୍ଧାର କରିବାକୁ ଯାଇ ନିଜ ଜୀବନ ବଳିଦେଇଥିଲେ ପୁଷ୍ପାଞ୍ଜଳି। ରାଜେନ୍ଦ୍ର ଦାସ କୋଲକାତାରେ ଏକ ସପିଂ ମଲରେ କାମ କରନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |