ରାଞ୍ଚି,୧୫।୧୧: ଆଦିବାସୀଙ୍କ ବିକାଶକୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଝାରଖଣ୍ଡରେ ‘ପିଏମ୍ ଜନମନ’ ଅଭିଯାନର ଘୋଷଣା କରିଛନ୍ତି । ଜନଜାତି ଗୌରବର ପ୍ରତୀକ ବିର୍ସା ମୁଣ୍ଡାଙ୍କୁ ତାଙ୍କ ଜନ୍ମସ୍ଥାନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ପ୍ରଧାନମନ୍ତ୍ରୀ ନୂଆ ଯୋଜନାର ଘୋଷଣା କରିଛନ୍ତି ଓ ଏହାର ଲାଭ ବିଷୟରେ ଜନତାଙ୍କୁ ସୂଚନା ବି ଦେଇଛନ୍ତି ।ମୋଦୀ କହିଛନ୍ତି ଏହି ଯୋଜନା ମାଧ୍ୟମରେ ସବୁଠାରୁ ପଛୁଆ ତଥା ଅବହେଳିତ ଥିବା ଆଦିବାସୀଙ୍କ ନିକଟରେ ସରକାର ପହଞ୍ଚିବାକୁ ଚାହୁଁଛନ୍ତି ।ପ୍ରଧାନମନ୍ତ୍ରୀ କହିଛନ୍ତି ବିକଶିତ ଭାରତ ସଂକଳ୍ପର ଏକ ପ୍ରମୁଖ ଆଧାର ହେଉଛି ‘ପିଏମ୍ ଜନମନ’ ଅର୍ଥାତ୍ ପିଏମ୍ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ । ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ସ୍ୱାଧୀନତା ଲାଭ ପରେ ବହୁ ଦଶକ ପର୍ଯ୍ୟନ୍ତ ଆଦିବାସୀ ସମାଜକୁ ଅଣଦେଖା କରାଯାଇଛି । ଅଟଳଜୀ ସରକାର ଆଦିବାସୀଙ୍କ ଲାଗି ଅଲଗା ମନ୍ତ୍ରଣାଳୟ ତିଆରି କରିଥିଲେ ଓ ବଜେଟ୍ ବ୍ୟବସ୍ଥା ବି କରିଥିଲେ । ଆମ ସରକାରରେ ଏବେ ଆଦିବାସୀ କଲ୍ୟାଣ ଲାଗି ବଜେଟ୍ ପୂର୍ବାପେକ୍ଷା ୬ ଗୁଣ ବୃଦ୍ଧି ପାଇଛି ।ପ୍ରଧାନମନ୍ତ୍ରୀ କହିଛନ୍ତି ଜନମନ ଜରିଆରେ ସରକାର ସେହି ଆଦିବାସୀ ଭାଇ ଭଉଣୀଙ୍କ ପାଖରେ ପହଞ୍ଚିବେ ଯେଉଁମାନଙ୍କ ପର୍ଯ୍ୟନ୍ତ ଏ ଯାଏଁ ସମସ୍ତ ଅତ୍ୟାବଶ୍ୟକ ସୁବିଧା ପହଞ୍ଚି ପାରିନାହିଁ । ଏମାନେ ହେଉଛନ୍ତି ସେହି ଜନଜାତି ଯେଉଁମାନେ ଏବେ ବି ଜଙ୍ଗଲରେ ରହୁଛନ୍ତି । ଏମାନେ ରେଳଗାଡି ଦେଖିବା ତ ଦୂରରେ ଥାଉ ଶବ୍ଦ ବି ଶୁଣିନାହାନ୍ତି । ସରକାର ଦେଶର ୨୨ ହଜାରରୁ ଅଧିକ ଗ୍ରାମରେ ରହୁଥିବା ୭୫ ଏପରି ଜନଜାତି ସମୂହଙ୍କର ଚିହ୍ନଟ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେପରି ପଛୁଆ ଶ୍ରେଣୀଙ୍କ ମଧ୍ୟରେ ଅତି ପଛୁଆ ଶ୍ରେଣୀ ରହିଛନ୍ତି ସେହିପରି ଆଦିବାସୀଙ୍କ ମଧ୍ୟରେ ଏମାନେ ସବୁଠାରୁ ପଛରେ ରହିଥିବା ଆଦିବାସୀ ସମୂହ ଅଟନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଅତି ପଛୁଆ ଆଦିବାସୀଙ୍କ ଲାଗି ଭାରତ ସରକାର ୨୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |