ନୂଆଦିଲ୍ଲୀ,୨୧ା୧୧: ଉତ୍ତରାଖଣ୍ଡର ଉତ୍ତରକାଶୀର ସୁଡ଼ଙ୍ଗ ଭିତରେ ୧୦ ଦିନ ହେଲା ଫଶି ରହିଛନ୍ତି ୪୧ ଜଣ ଶ୍ରମିକ । ସେହି ଶ୍ରମିକଙ୍କ ମଧ୍ୟରେ ୪ ଜଣ ଓଡ଼ିଆ ମଧ୍ୟ ରହିଥିବା କୁହାଯାଉଛି । ତେବେ ଏହା ମଧ୍ୟରେ ପ୍ରଥମ ଥର ପାଉଁ ସୁଡ଼ଙ୍ଗ ଭିତରର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଅଧିକାରୀମାନେ ୱାକି ଟକି ଜରିଆରେ ଶ୍ରମିକଙ୍କ ସହିତ କଥାବାର୍ତ୍ତା କରିଥିବା ବେଳେ ପ୍ରଥମ ଥର ପାଇଁ ସେମାନଙ୍କ ନିକଟକୁ ଡାଲ, ଖେଚୁଡ଼ି ପଠାଯାଇଛି ।ଉତ୍ତରାଖଣ୍ଡ ଟନେଲରେ ଫସିଥିବା ୪୧ ଜଣ ଶ୍ରମିକଙ୍କ ଭିଡିଓ ସାମନାକୁ ଆସିଛି। ପ୍ରଥମ ଥର ପାଇଁ ଶ୍ରମିକମାନଙ୍କ ଭିଜୁଆଲ୍ ସାମନାକୁ ଆସିଛି। ଏଣ୍ଡୋସ୍କୋପି କ୍ୟାମେରା ସହାୟତାରେ ଭିତର ସମ୍ପୂର୍ଣ୍ଣ ଚିତ୍ର ଦେଖିବାକୁ ମିଳିଛି। ଡ୍ରିଲ ସାହାଯ୍ୟରେ ଶ୍ରମିକମାନଙ୍କ ପାଖକୁ ଯାଇଥିବା ୬ ଇଞ୍ଚ ବ୍ୟାସର ଏକ ପାଇପରେ ଏହି ଏଣ୍ଡୋସ୍କୋପି ରହିଛି|ଟନେଲ୍ ଭିତରେ ଶ୍ରମିକମାନେ କେମିତି ଅଛନ୍ତି କଣ କରୁଛନ୍ତି ସବୁ ଗତିବିଧି ଉପରେ ନଜର ରଖିପାରିଛି ଉଦ୍ଧାରକାରୀ ଟିମ୍। କ୍ୟାମେରାରେ ଦେଖି, ୱାକିଟକିରେ ସମ୍ପର୍କ କରିବାକୁ ଫସିଥିବା ଶ୍ରମିକଙ୍କୁ କହୁଥିବା ଭିଡିଓରେ ନଜର ଆସିଛି। ଉଦ୍ଧାରକାରୀ ଟିମ୍ ଏଣ୍ଡୋସ୍କୋପି କ୍ୟାମେରା ଓ ୱାକିଟକି ସହାୟତାରେ ଶ୍ରମିକମାନଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛନ୍ତି ।ସେପଟେ, ପାଇପ ସାହାଯ୍ୟରେ ରନ୍ଧାଖାଦ୍ୟ, ଫଳ, ୱାକିଟକି, ଚାର୍ଜର ଓ ଅନ୍ୟ ଆବଶ୍ୟକ ସାମଗ୍ରୀ ସେମାନଙ୍କ ପାଖକୁ ପଠାଯାଉଛି। ଦୀର୍ଘ ୯ ଦିନ ପରେ ଗତରାତିରେ ପ୍ରଥମ ଥର ପାଇଁ ରନ୍ଧାଖାଦ୍ୟ ଖାଇଛନ୍ତି ଫସିଥିବା ୪୧ ଜଣ ଶ୍ରମିକ। ସେମାନଙ୍କୁ ଖିଚୁଡ଼ି, ଡାଲି, ଦଲିଆ ଓ ସେଓ ସହିତ ଏକ ୱାକିଟକି ଏବଂ ଚାର୍ଜର ଦିଆଯାଇଛି। ରନ୍ଧାଖାଦ୍ୟକୁ ସିଲିଣ୍ଡର ଆକୃତିର ଛୋଟଛୋଟ ବୋତଲରେ ଭର୍ତ୍ତି କରିଦିଆଯାଉଛି। ପ୍ରତି ଶ୍ରମିକଙ୍କ ପାଇଁ ୭୫୦ ଗ୍ରାମର ଖାଦ୍ୟ ପଠାଯାଇଛି । ପୂର୍ବରୁ ଭିତରକୁ ଯାଇଥିବା ୪ ଇଞ୍ଚ ଓସାରର ପାଇପରେ କେବଳ ଶୁଖିଲା ଖାଦ୍ୟ ଓ ପାନୀୟ ପଠାଯାଉଥିଲା।ସେପଟେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରହିଛି।ଏବେ କରାଯାଇଛି ନୂଆ ରଣନୀତି। ଟନେଲର ତିନି ପଟୁ ଡ୍ରିଲିଂ କରିବାକୁ ଯୋଜନା କରାଯାଇଛି। ଯେଉଁଠି ଶ୍ରମିକମାନେ ଫସିଛନ୍ତି ତାର ବାମ ଓ ଡାହାଣ ପଟୁ ଡ୍ରିଲିଂ କରାଯିବ। ତା ସହିତ ଉପରୁ ମଧ୍ୟ ହୋଲ୍ ଯାଇ ଯେ କୌଣସି ମତେ ସେମାନଙ୍କ ଉଦ୍ଧାର ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ୫ଟି ଟିମ୍ ରାତି ଦିନ କାମ କରୁଛନ୍ତି। ସେପଟେ ବାୟୁସେନାର ବିମାନରେ ବଡ଼ ବଡ଼ ମେସିନ ଟନେଲ ପାଖକୁ ନିଆଗଲାଣି। ବଡ଼ ଓସାରିଆ ପାଇପ ଅଣାଯାଇଛି।ଏବେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ଡିଆରଡିଓ ର ରୋବୋଟିକ ଟିମ୍ ଓ ଏକ ଇଣ୍ଟରନ୍ୟାସନାଲ ଟନେଲ ଏକ୍ସପର୍ଟ ଟିମ୍। ନଭେମ୍ବର ୧୨ ତାରିଖରୁ ଟନେଲ ଭିତରେ ଫସି ରହିଛନ୍ତି ୪୧ ଜଣ ଶ୍ରମିକ। ଡ୍ରିଲିଂ କରି ପ୍ରାୟ ୧ ମିଟର ଓସାରର ପାଇପ ପ୍ରବେଶ କରାଇ ସେମାନଙ୍କୁ ବାହାରକୁ ଆଣିବାର ଚେଷ୍ଟା କରାଯାଉଛି, କିନ୍ତୁ ତାହା ଫଳପ୍ରଦ ହୋଇନି। ସମସ୍ତ ୪୧ ଜଣ ଯାକ ଶ୍ରମିକ ସୁସ୍ଥ ଥିବା ସୂଚନା ମିଳିଛି।ସେହିପରି ଟନେଲରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଲାଗି ଆବଶ୍ୟକ ବଡ଼ବଡ଼ ଭାରି ଉପକରଣ ସବୁକୁ ଅଣାଯାଉଛି। ଉପକରଣକୁ ଉତ୍ତରକାଶୀ ନେବା ପାଇଁ ଭାରତୀୟ ବାୟୁସେନାସହଯୋଗ କରୁଛି। ବାୟୁସେନାର C-17 ଏବଂ C-130 ଏୟାରକ୍ରାଫ୍ଟ ଯୋଗେ ଭାରି ମେସିନ ସବୁ ଏୟାରଲିଫ୍ଟ କରାଯାଉଛି। ଆଜି ମଧ୍ୟ ଏୟାରଲିଫ୍ଟ କରାଯାଇ ଏକ ୩୬ ଟନର ଉପକରଣ ଉତ୍ତରକାଶୀ ଅଣାଯାଇଛି। ..
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |