ଭୁବନେଶ୍ୱର,୨୭।୧୧: ଆ-କା-ମା- ବୈ .. ପାନ ଗୁଆ ଥୋଇ .. ପାନ ଗୁଆ ତୋର, ମାସକ ଧରମ ମୋର .. । ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଆଜି ଓଡ଼ିଶାର ଗାଁଠୁ ସହର ସବୁଠି କିଛି ଏଭଳି ଗୀତ ଗାଇ ଡଙ୍ଗା ଭସାଇଛନ୍ତି ଲୋକେ। ପୋଖରୀ, ନଦୀ, ସମୁଦ୍ରକୂଳରେ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି।ଧୁମଧାମରେ ପାଳନ ହେଉଛି ବର୍ଷର ପୂଣ୍ୟମାସ । ଜଳାଶୟ ସାଙ୍ଗକୁ ଦେବାଳୟ ମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ । ନଦୀ, ପୋଖରୀ ଏବଂ ଜଳାଶୟ ପଠାରେ ଡଙ୍ଗା ଭସାଉଛନ୍ତି ହିନ୍ଦୁ ଧର୍ମାବଲମ୍ବୀ । ସେହିପରି ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ମଧ୍ୟ ମହାସମାରୋହରେ ଅନୁଷ୍ଠିତ ହେଉଛି । ଉତ୍କଳର ଗୌରବମୟ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରି ରଖିବାକୁ ବୋଇତ ବନ୍ଦାଣ ଉତ୍ସବ ଆୟୋଜିତ ହୋଇଆସୁଛି ।ଭୋରରୁ ମହିଳାମାନେ କଦଳୀ ପାଟୁଆ, କାଗଜ, ସୋଲରେ ଯିଏ ଯେମିତି ପାରିଲା ସେଥିରେ ଡଙ୍ଗା ପ୍ରସ୍ତୁତ କରି ଭସାଇଛନ୍ତି। ଦୀପ, ଧୂପ ଦେବା ସହ ବନ୍ଦାଣ କରିଛନ୍ତି।ସେହିପରି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟ ବିନ୍ଦୁ ସାଗରରେ ଆଜି ଭୋରରୁ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ। ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଲୋକେ ଡଙ୍ଗା ଭସାଇଛନ୍ତି।ଭୋରରୁ ବିନ୍ଦୁ ସାଗରରେ ଡଙ୍ଗା ଭସାଇବା ପାଇଁ ଲୋକଙ୍କର ପ୍ରବଳ ହୋଇଥିଲା।କଟକରେ ବି ଆଜି ଭୋରରୁ ଡଙ୍ଗା ଭସା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ଗଡ଼ଗଡ଼ିଆ ଘାଟରେ ଶତାଧିକ ଶ୍ରଦ୍ଧାଳୁ ବୋଇତ ବନ୍ଦାଣ କରିଥିଲେ। ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଡଙ୍ଗା ଭସାଇଥିଲେ ଶ୍ରଦ୍ଧାଳୁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |