ଟନେଲରୁ ସୁରକ୍ଷିତ ଉଦ୍ଧାର ୫ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର,୨୯ା୧୧: ଦୀର୍ଘ ୧୭ ଦିନ ପରେ ଉତ୍ତରାଖଣ୍ଡ ଟନେଲରେ ଫସି ରହିଥିବା ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି। ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ ପରେ ସମସ୍ତଙ୍କୁ ସ୍ୱତନ୍ତ୍ର ହସ୍ପିଟାଲରେ ରଖାଯାଇଛି। ସମସ୍ତଙ୍କ ଅବସ୍ଥା ସଂପୂର୍ଣ୍ଣ ଭାବେ ଠିକ ଥିଲେ ମଧ୍ୟ ସେମାନଙ୍କୁ ମେଡିକାଲ ନୀରକ୍ଷଣରେ ରଖାଯିବ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସୂଚନା  ଦେଇଛନ୍ତି। ଉତ୍ତରକାଶୀ ସୁଡ଼ଙ୍ଗ ମଧ୍ୟରୁ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ୫ ଓଡ଼ିଆ ରହିଛନ୍ତି। ସେମାନେ ହେଲେ ମୟୂରଭଞ୍ଜ ଜିଲା ବଡ଼କୁଦରର ଧୀରେନ ନାଏକ ଏବଂ ଯୋଗୀବନ୍ଧର ବିଶ୍ୱେଶ୍ୱର ନାଏକ, ବାଲେଶ୍ୱରର କୁଲଡିହା ଅଞ୍ଚଳର ରାଜୁ ନାଏକ, ନବରଙ୍ଗପୁରର ଭଗବାନ ଭୋତ୍ରା ଏବଂ ଭଦ୍ରକ ଜିଲାର ତପନ ମଣ୍ଡଳ। ଗତ ୧୨ ତାରିଖରେ ସିଲ୍‌କ୍ୟାରା ଟନେଲର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ସେମାନେ ୧୭ ଦିନ ହେଲା ଏହା ଭିତରେ ଫସିରହିଥିଲେ। ଭାରତୀୟ ସେନା, ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆରଏଫଏ ଅନ୍ୟାନ୍ୟ ସଂସ୍ଥା ତଥା ଖନନ ବିଶେଷଜ୍ଞମାନଙ୍କ ଅକ୍ଳାନ୍ତ ଉଦ୍ୟମ ଫଳରେ ମଙ୍ଗଳବାର ରାତିରେ ସମସ୍ତ ୪୧ ଶ୍ରମିକଙ୍କୁ ସୁଡ଼ଙ୍ଗ ବାହାରକୁ ଅଣାଯାଇଛି। ସ୍ଥିତି ଅନୁଧ୍ୟାନ କରିବା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାଏକଙ୍କୁ ଉତ୍ତରାଖଣ୍ଡ ପଠାଇଥିଲେ। ଓଡ଼ିଆ ଶ୍ରମିକମାନଙ୍କୁ ପାଛୋଟିବା ପାଇଁ ସେମାନଙ୍କ ପରିବାରରୁ ଜଣେ ଲେଖାଏ ଉତ୍ତରାଖଣ୍ଡ ଯାଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!