ଭୁବନେଶ୍ୱର,୨୯ା୧୧: ଆଣ୍ଡାମାନ ସାଗରର ଲଘୁଚାପ କ୍ଷେତ୍ର ୱେଲ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ଗତକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ଆଜି ତାହା ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହେବାରେ ଲାଗିଛି। ଲଘୁଚାପ କେନ୍ଦ୍ରସ୍ଥଳରେ ବର୍ତ୍ତମାନ ମେଘଖଣ୍ଡ ଏକତ୍ରିତ ହୋଇ ଚାଲିଛି। ଏହି ଲଘୁଚାପ ଶକ୍ତିଶାଳୀ ହୋଇ ୩୦ତାରିଖ ସୁଦ୍ଧା ଅବପାତରେ ପରିଣତ ହେବ। ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେବ। ବାତ୍ୟାର ଗତିପଥ ଓ ଏହାର ତୀବ୍ରତା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏଯାବତ୍ କୌଣସି ସୂଚନା ଦିଆଯାଇ ନଥିଲେ ହେଁ ଏହାର ପ୍ରଭାବ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ଅନୁଭୂତ ହେବ ବିଭିନ୍ନ ମଡେଲ୍ ଆକଳନ କରୁଛନ୍ତି। ତେବେ ଅବପାତ ସୃଷ୍ଟି ହେବା ପରେ ଆଇଏମ୍ଡି ଏହାର ଚିତ୍ର ଅଧିକ ସ୍ପଷ୍ଟ କରିବ ବୋଲି ସୂଚନା ମିଳିଛି।ଅନ୍ୟପଟେ ବାତ୍ୟାକୁ ନେଇ ପ୍ରାରମ୍ଭିକ ଚେତାବନୀ ମଧ୍ୟ ଜାରି ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୩ ତାରିଖରେ ବାତ୍ୟା ଯୋଗୁଁ ଓଡ଼ିଶାର ଉପକୂଳବର୍ତ୍ତୀ କିଛି ଜିଲ୍ଲାରେ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। ୩ ତାରିଖରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ ଓ ଜଗତ୍ସିଂହପୁରର କିଛି କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ଆଶଙ୍କା ରହିଛି। ସେହିପରି ୪ ତାରିଖରେ ଏହାର ପ୍ରଭାବ ବୃଦ୍ଧି ପାଇବା ସହ ରାଜ୍ୟର ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲା ଯଥା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ପୁରୀ, ଖୋର୍ଦ୍ଧା, କନ୍ଧମାଳ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ବର୍ଷା ଆଶଙ୍କା ଥିବା ପାଣିପାଗ କେନ୍ଦ୍ର କହିଛି। ସମ୍ଭାବ୍ୟ ବାତ୍ୟା ଯୋଗୁଁ ସମୁଦ୍ର ଧୀରେଧୀରେ ଅଶାନ୍ତ ହେବାରେ ଲାଗିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |