କଟକ,୨ା୧୨: ମନ ମୋହୁଛି କଟକର ଐତିହାସିକ ବାଲିଯାତ୍ରା। ପ୍ରତିଦିନ ମେଳା ବୁଲିବାକୁ ଆସୁଛନ୍ତି ଲକ୍ଷାଧିକ ଲୋକ। ସଂନ୍ଧ୍ୟା ହେଲେ ବାଲିଯାତ୍ରାର ମଜା ନେଉଛନ୍ତି ଦର୍ଶକ । ଚଳିତ ବର୍ଷ ବାଲିଯାତ୍ରାରେ ୧୪୦୦ରୁ ଉର୍ଦ୍ଧ୍ବ ଷ୍ଟଲରେ ବୁଲିବା ସହ କିଣାକିଣିର ମଜା ନେଇଛନ୍ତି ଗ୍ରାହକ । କଟକ ବାଲିଯାତ୍ରାକୁ ଆଜି ଆସିବେ ବଲିଉଡ୍ର ଯୁବ ସେନ୍ସେସନ୍ ସଚିନ୍-ଜିଗର ଯୋଡି। ଏହାକୁ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ବେପାର ବଣିଜର ପସରା ସହ ଖାଦ୍ୟ, ପାନୀୟ, ନୃତ୍ୟ, ଗୀତ ଓ ମନୋରଞ୍ଜନରେ ମୁଖରିତ ହେଉଛି ବାଲିଯାତ୍ରା ପଡିଆ। ସେହିଭଳି ବାଲିଯାତ୍ରାରେ ଥିବା ବିଭିନ୍ନ ଷ୍ଟଲ୍ରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି।ତେବେ ବାଲିଯାତ୍ରାରେ ଫେଲ ମାରିଛି ମୋବାଇଲ ନେଟୱର୍କ। ଇଣ୍ଟରନେଟ ତ ଦୂରର କଥା ମୋବାଇଲ ଫୋନରେ କଥା ମଧ୍ୟ ସମ୍ଭବ ହୋଇପାରୁନି। ଫଳରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦର୍ଶକ ।ଅନ୍ୟପକ୍ଷରେ ବାଲିଯାତ୍ରା ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା କାରଣରୁ ସାଙ୍ଗରେ ଅଧିକ ପଇସା ନ ଆଣି ଅନଲାଇନ୍ ପେମେଣ୍ଟ କରିବାକୁ କମିଶନରେଟ୍ ପୁଲିସ୍ ଲୋକଙ୍କୁ ସଚେତନ କରିଛି। ହେଲେ ମୋବାଇଲାକୁ ନେଟୱର୍କ ଆସୁନଥିବାରୁ ଚିନ୍ତାରେ ଦର୍ଶକ। ବାଲିଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାବେଶ ହେଉଥିବା ବେଳେ ମୋବାଇଲ ନେଟୱର୍କ କାମ କରୁ ନଥିବାରୁ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଦର୍ଶକ।ଏପରିକି ୟୁପିଆଇ ପେମେଣ୍ଟ ପାଇଁ ସ୍କାନର ମେସିନ୍ ଅଛି, ହେଲେ ଇଣ୍ଟରନେଟ ନ ଥିବାରୁ ମୋବାଇଲ୍ ପେମେଣ୍ଟ କରିପାରୁ ନାହାନ୍ତି ଲୋକେ। ବାଧ୍ୟ ହୋଇ ଜିନିଷ କିଣି ନପାରି ଫେରି ଯାଉଛନ୍ତି ଦର୍ଶକ। ସେହିପରି ନେଟୱର୍କ ଆସୁନ ଥିବାରୁ ମୋବାଇଲ୍ ଫୋନରେ କଥା ହୋଇପାରୁନଥିବାରୁ ବହୁ ଦର୍ଶକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବାଲିଯାତ୍ରାର ଦୁଇ ପଡ଼ିଆରେ ଧୂଳି ନିୟନ୍ତ୍ରଣ ପାଇଁ ପୌର ନିଗମ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇ ଥିବା ଦାବି କରାଯାଉଛି। ଉପର ଓ ତଳ ପଡ଼ିଆର ରାସ୍ତାରେ ଯେଭଳି ଧୂଳି ନ ଉଡ଼ିବ ସେଥିପାଇଁ କେମିକାଲ ପାଣି ସିଞ୍ଚନ କରାଯାଉଥିବା କୁହାଯାଇଛି। ଧୂଳି ନିୟନ୍ତ୍ରଣ ପାଇଁ ୪୦ ଲକ୍ଷ ୫୨ ହଜାର ୫ ଶହ ଟଙ୍କାରେ ଟେଣ୍ଡର ଡକାଯାଇଥିଲା। ତେବେ ଏକ ଏଜେନ୍ସି ଏହାକୁ ୩୫ ଲକ୍ଷ ୨୩ ହଜାର ୭୬୭ ଟଙ୍କାରେ ନେଇଥିବା ବେଳେ ଉପର ପଡ଼ିଆରେ କେମିକାଲ ପାଣି ସିଞ୍ଚନ ହେଉ ନଥିବା ଅଭିଯୋଗ ହେଉଛି। ଫଳରେ ଉପର ପଡ଼ିଆରେ ଧୂଳି ଉଡୁଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |