ପୁରୀ,୨ା୧୨ : ଶ୍ରୀମନ୍ଦିରର ୪ ଦ୍ବାର ଖୋଲିବା, ରତ୍ନଭଣ୍ଡାରର ଗଣତି ମଣତି ସମେତ ୬ ଦାବିରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆଜି ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା ଅନୁଷ୍ଠିତ ହୋଇଛି। କଂଗ୍ରେସ ଭବନରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଏକ ସୁସଜ୍ଜିତ ରଥରେ ଓ ବିଧି ମୁତାବକ ତୁଳସୀକୁ କଦଳୀ ପାଟୁଆରେ ବାନ୍ଧି ଏକ ଗାଡ଼ିରେ ଭଜନ ଓ ସଂକୀର୍ତନ କରି ଶ୍ରୀଜଗନ୍ନାଥଙ୍କ ଚରଣ ଲାଗି ନିଆଯାଇଥିଲା। ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାର ମରାମତି ଓ ଅଳଙ୍କାର ଗଣତି ସମେତ ୬ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ଶୁକ୍ରବାର ତୁଳସୀ ଯାତ୍ରା କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ନିମନ୍ତେ ସାରା ରାଜ୍ୟରୁ ସଂଗୃହୀତ ତୁଳସୀ ଓ ସଜ ତୁଳସୀ ସହ କଂଗ୍ରେସ କର୍ମକର୍ତ୍ତା ଏବଂ ଜଗନ୍ନାଥପ୍ରେମୀମାନେ ଶରଧାବାଲିଠାରେ ଏକାଠି ହୋଇଥିଲେ। ପରେ ଗୁଣ୍ଡିଚା ମନ୍ଦିରଠାରୁ ଏକ ଶୋଭାଯାତ୍ରାରେ ବାହାରି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ପହଞ୍ଚତ୍ଥିଲେ। ସେଠାରୁ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ତୁଳସୀ ଅର୍ପଣ କରିଥିଲେ।ରାଜ୍ୟର ସମସ୍ତ ବ୍ଲକ୍, ପଞ୍ଚାୟତ ଓ ଜିଲ୍ଲାରୁ ଶତାଧିକ କଂଗ୍ରେସ ନେତୃବୃନ୍ଦ ତୁଳସୀ ଧରି ସକାଳେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଓଡ଼ିଶା ପ୍ରଭାରୀ ଏ.ଚେଲ୍ଲାକୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଶତାଧିକ ଗାଡ଼ି ଏକ ପଟୁଆରରେ ପୁରୀ ଅଭିମୁଖେ ଯାତ୍ରା କରିଥିଲେ। ରାସ୍ତାରେ ପିପିଲି, ସାକ୍ଷୀଗୋପାଳ, ବାଟମଙ୍ଗଳା ଓ ଅଠରନଳା ଦେଇ ଶରଧାବାଲି ନିକଟରେ ପହଞ୍ଚିଥିଲେ। ସେଠାରୁ ସିଂହଦ୍ବାରା ଅଭିମୁଖେ ତୁଳସୀ ଯାତ୍ରା ଯାଇଥିଲା। ସିଂହଦ୍ବାରରେ ପହଞ୍ଚିବା ପରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଏ.ଚେଲ୍ଲାକୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବରିଷ୍ଠ କଂଗ୍ରେସ ନେତା ବିଶ୍ବାବସୁ ବିନାୟକ ଦାସମହାପାତ୍ର ପ୍ରମୁଖ ତୁଳସୀ ନେଇ ଶ୍ରୀମନ୍ଦିରକୁ ଯାଇଥିଲେ। ଅବଶିଷ୍ଟ ସଂଗୃହୀତ ତୁଳସୀ ନୀଳାଚଳ ଉପବନ ଫୁଲ ଘର ନିକଟରେ ମହାପ୍ରଭୁଙ୍କୁ ଲାଗି ପାଇଁ ଜମା ଦିଆଯାଇଥିଲା।ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ, ବିଭିନ୍ନ ଆଳ ଦେଖାଇ ମନ୍ଦିର ପ୍ରଶାସନ ଶ୍ରୀମନ୍ଦିର ଚାରିଦ୍ବାର ଦର୍ଶନ ବନ୍ଦ ରଖିଛନ୍ତି। ଭକ୍ତମାନେ କେବଳ ସିଂହଦ୍ବାର ଦେଇ ପ୍ରବେଶ କରୁଛନ୍ତି। ମହାପ୍ରସାଦ ଆଣିବାକୁ ପୂର୍ବରୁ ଉତ୍ତରଦ୍ବାର ଦେଇ ଯାଉଥିଲେ, ସେ ବ୍ୟବସ୍ଥା ବି ବନ୍ଦ କରି ଦିଆଯାଇଛି। ଦର୍ଶନ ପାଇଁ ଭକ୍ତମାନେ ଖରାରେ ଘଣ୍ଟା ଘଣ୍ଟା ଛିଡ଼ା ହେଉଛନ୍ତି। ତୁରନ୍ତ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ସହ ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତି, ମଣତି ଓ ମରାମତି, ମହାପ୍ରଭୁଙ୍କ ଭୂ-ସମ୍ପତ୍ତି ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଏହି ତୁଳସୀ ଯାତ୍ରା କରାଯାଇଛି। ଯଦି ଦାବି ପୂରଣ ନ ହୁଏ, ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, କିଛି ମାସ ତଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆହୋଇଥିବା ଭକ୍ତଙ୍କ ମଧ୍ୟରୁ ପ୍ରାୟ ୩୦ ଜଣ ଦଳାଚକଟାରେ ଆହତ ହୋଇଥିଲେ। ଏପରିକି ଅନେକ ସମୟରେ ଭକ୍ତ ଅଚେତ ହେଉଥିବାବେଳେ ଦର୍ଶନ ନ ପାଇ ମନଦୁଃଖରେ ଫେରୁଛନ୍ତି। ମାତ୍ର ଏହାର ପ୍ରଭାବ ରାଜ୍ୟ ସରକାରଙ୍କ ଉପରେ ପଡ଼ୁନାହିଁ। ମହାପ୍ରଭୁଙ୍କୁ ଭକ୍ତମାନେ ନିଜ ଦୁଃଖ ଜଣାନ୍ତି। ମାତ୍ର ରାଜ୍ୟ ସରକାର ନିଜ ନିଷ୍ପତ୍ତି ଆଳରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ବାଡ଼ ସୃଷ୍ଟି କରୁଛନ୍ତି। ପବିତ୍ର ଧର୍ମ ମାସ କାର୍ତ୍ତିକରେ ଭକ୍ତମାନଙ୍କୁ ଶ୍ରୀମନ୍ଦିରକୁ ଅନାୟାସରେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଦାୟିତ୍ୱ ନିର୍ବାହ କରିବା ପରିବର୍ତ୍ତେ ଦ୍ୱାର ବନ୍ଦ କରି ରଖିବା ଜଗନ୍ନାଥ ସଂସ୍କୃତି ବିରୋଧୀ। ରାଜ୍ୟ ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଆଜିକୁ ପାଖାପାଖି ୩ ବର୍ଷରୁ ଅଧିକ ସମୟ ହେଲାଣି, ମାତ୍ର ଏ ପର୍ଯ୍ୟନ୍ତ ସମୁଦାୟ ପ୍ରକଳ୍ପର ୧୦ ଭାଗ କାମ ମଧ୍ୟ ହୋଇନାହିଁ। ସରକାରଙ୍କ ଏପରି କାର୍ଯ୍ୟକୁ କଂଗ୍ରେସ ବରଦାସ୍ତ କରିବ ନାହିଁ ବରଂ ଆନ୍ଦୋଳନ ଜାରି ରହିବ। ଅକ୍ଟୋବର ୧୬ରେ ରାଜ୍ୟ କଂଗ୍ରେସ ତରଫରୁ ବିରାଟ ଜନଆନ୍ଦୋଳନ କରାଯାଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ୬ଦଫା ଦାବି ସମ୍ବଳିତ ସ୍ମାରକପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିଲା। ଅକ୍ଟୋବର ୨୮ ସୁଦ୍ଧା ଦାବି ପୂରଣ ପାଇଁ ସମୟ ଦିଆଯାଇଥିଲା। ସେହିପରି ନଭେମ୍ବର ୯ରେ ଶ୍ରୀମନ୍ଦିର ସମ୍ମୁଖରେ ସଂକୀର୍ତ୍ତନ ସତ୍ୟାଗ୍ରହ କରାଯାଇଥିଲା। ଏହାସତ୍ତ୍ୱେ ସରକାର କୌଣସି ପଦକ୍ଷେପ ନେଇ ନ ଥିଲେ। ତେଣୁ କଂଗ୍ରେସ ପକ୍ଷରୁ ତୁଳସୀ ଯାତ୍ରା କରାଯାଇଥିଲା। ପିସିସି ସଭାପତିଙ୍କ ନେତୃତ୍ୱରେ ଏହି ତୁଳସୀ ଯାତ୍ରାରେ ରାଜ୍ୟ ପ୍ରଭାରୀ ଏ. ଚେଲ୍ଲା କୁମାର, ସମ୍ପାଦକ ବିଶ୍ୱନାଥ ଦାସ, ଉପସଭାପତି ଶିବାନନ୍ଦ ରାୟ, ଜିଲା ସଭାପତି ଜୟରାମ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ, ଗଣେଶ୍ୱର ବେହେରା, ଜୟଦେବ ଜେନା, ବିଜୟଲକ୍ଷ୍ମୀ ଦାସ, ବିଧାୟକ ସନ୍ତୋଷ ସିଂ ସାଲୁଜା, ତାରାପ୍ରସାଦ ବାହିନୀପତି, ରମେଶ ଜେନା, ଭୁଜବଳ ମାଝି, ଅଂଶୁମାନ ମହାନ୍ତି, ସୁଜିତ୍ ମହାପାତ୍ର, ବିନାୟକ ଦାସମହାପାତ୍ର, ପୁରୀ ନଗର କଂଗ୍ରେସ (କ) ସଭାପତି ଛବିନ୍ଦ୍ର ପଢ଼ିଆରୀ, (ଖ) ଅମରେନ୍ଦ୍ର ପାଇକରାୟ, ସଦର ବ୍ଲକ ସଭାପତି ରାମଚନ୍ଦ୍ର ସାହୁ, ଜିଲା ଲିଗାଲ ସେଲ ସଭାପତି କାଳିପ୍ରସାଦ ନାୟକ, ଜିଲା ମୁଖପାତ୍ର ସ୍ବାଧୀନ କୁମାର ପଣ୍ଡା ଏବଂ ବିଦୁଲତା ଆଚାର୍ଯ୍ୟ ପ୍ରମୁଖ ସାମିଲ ଥିଲେ। ସୂଚନାଯୋଗ୍ୟ, ରାଜ୍ୟ କଂଗ୍ରେସ ଭବନ ଠାରେ ବିଭିନ୍ନ ଜିଲାରୁ ବହୁ କଂଗ୍ରେସ ନେତା ତୁଳସୀ ଧରି ଆସି ପହଞ୍ଚିଥିଲେ। ସେଠାରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ବହୁ ନେତା, କର୍ମୀ ପଦଯାତ୍ରାରେ ରାଜମହଲ ପର୍ଯ୍ୟନ୍ତ ଯାଇଥିଲେ। ସେଠାରୁ ଗାଡ଼ି ଯୋଗେ ପୁରୀ ଅଭିମୁଖେ ବାହାରିଥିଲେ। ଏହି ପଦଯାତ୍ରାରେ ବହୁ ବରିଷ୍ଠ ନେତା ସାମିଲ ହୋଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |