ନୂଆଦିଲ୍ଲ,୪।୧୨: ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନ ଡିସେମ୍ବର ୨୨ ତାରିଖ ଯାଏଁ ଚାଲିବ । ୧୯ ଦିନ ମଧ୍ୟରେ ୧୫ କାର୍ଯ୍ୟ ଦିବସ ରହିଥିବାବେଳେ ୨୧ଟି ବିଲ୍ ଉପସ୍ଥାପନ କରାଯିବା ନେଇ ସ୍ଥିର କରାଯାଇଛି । ଏହା ୧୭ତମ ଲୋକସଭାର ଶେଷ ଅଧିବେଶନ ହେବା ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୂଚନା ଦେଇଛନ୍ତି । ୧୭ତମ ଲୋକସଭାର ଚତୁର୍ଦ୍ଦଶ ଅଧିବେଶନ ଭାବେ ଏହି ଅଧିବେଶନ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ କେତେକ ପ୍ରମୁଖ ପ୍ରସଙ୍ଗକୁ ନେଇ ଶାସକ ଏବଂ ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରେ ବିତର୍କ ଜୋର ଧରିବା ସହିତ ଗୃହ ସରଗରମ ରହିବ ବୋଲି କୁହାଯାଉଛି। ବିଶେଷକରି ତୃଣମୂଳ କଂଗ୍ରେସ(ଟିଏମସି) ସାଂସଦ ମହୁଆ ମୋଇତ୍ରାଙ୍କ ମାମଲାରେ ଅଧିବେଶନର ପ୍ରଥମ ଦିନରେ ସଂସଦୀୟ ସଦାଚାର କମିଟି ରିପୋର୍ଟ ଉପସ୍ଥାପନ କରିବ।ଏହି ରିପୋର୍ଟରେ ମହୁଆଙ୍କ ନିଲମ୍ବନ ପାଇଁ ସୁପାରିସ କରାଯାଇଥିବା ବେଳେ ଶାସକ ଏବଂ ବିରୋଧୀ ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇପାରନ୍ତି ବୋଲି କୁହାଯାଉଛି। ଏହାବ୍ୟତୀତ ମହଙ୍ଗାମାଡ଼, ଚୀନ୍ ସହ ସୀମା ସମସ୍ୟା, ମଣିପୁର ହିଂସା ଏବଂ ଇଡି ଓ ସିବିଆଇ ଭଳି କେନ୍ଦ୍ରୀୟ ଏଜେନ୍ସିଙ୍କ ଅପବ୍ୟବହାରକୁ ପ୍ରସଙ୍ଗ କରି ବିରୋଧୀ ଦଳ ଶାସକ ଗୋଷ୍ଠୀଙ୍କୁ ଘେରି ପାରନ୍ତି ବୋଲି ରାଜନୀତିକ ବିଶାରଦମାନେ ଆକଳନ କରିଛନ୍ତି
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |