ନୂଆବର୍ଷରୁ ଶ୍ରୀମନ୍ଦିରରେ କଡାକଡ଼ି ହେବ ଏହି ସବୁ ନିୟମ

ପୁରୀ,୮/୧୨:ନୂଆବର୍ଷରୁ ଶ୍ରୀମନ୍ଦିରରେ ପାନ, ଗୁଟ୍‌ଖା ସମ୍ପୂର୍ଣ୍ଣ ବନ୍ଦ ରହିବ। ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ନିୟମ କଡ଼ାକଡି ଲାଗୁ ହେବ। ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଉତ୍ତର ଦ୍ୱାରରେ ରାମ୍ପ ବ୍ୟବସ୍ଥା ହେବ। ୩୧ ତାରିଖ ରାତିରେ ଆବଶ୍ୟକ ହେଲେ ରାତ୍ର ପହୁଡ଼ ହେବନି। ଶ୍ରୀମନ୍ଦିର ନୀତି ସବ୍‌ କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ଏହି ସୂଚନା ଦେଇଛନ୍ତି। ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ନୀତି ସବ୍‌ କମିଟି ବୈଠକ ବସିଥିଲା। ଏଥିରେ ଆସନ୍ତା ୧୬ରୁ ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଶ୍ରୀଜୀଉଙ୍କ ପହିଲି ଭୋଗ ନୀତି ସମ୍ପର୍କରେ ଆଲୋଚନା ହୋଇଥିଲା। ଏହାଛଡ଼ା ୧୫ ତାରିଖରେ ପଡୁଥିବା ଧନୁ ସଂକ୍ରାନ୍ତି ଓ ଜାନୁଆରୀ ୨୫ ତାରିଖରେ ହେବାକୁ ଥିବା ଦେବାଭିଷେକ ନୀତି ସମ୍ପର୍କରେ ଆଲୋଚନା କରାଯାଇ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଥିଲା। ପହିଲି ଭୋଗ ଆରମ୍ଭ ହେବା ଦିନଠାରୁ ରାତି ୨ଟାରେ ସିଂହଦ୍ଵାର ଫିଟାଯାଇ ଭୋର ୫ଟା ୨୦ରୁ ୬ଟା ମଧ୍ୟରେ ପହିଲି ଭୋଗ ନୀତି ସମ୍ପନ୍ନ ହେବ। ପହିଲି ଭୋଗ ନୀତି ଚାଲିବା ସମୟରେ ନୂଆବର୍ଷ ପୂର୍ବଦିନ ୩୧ ତାରିଖ ପଡୁଥିବାରୁ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆବଶ୍ୟକ ପଡିଲେ ରାତ୍ର ପହୁଡ ହେବନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ କହିଛନ୍ତି। ସେପଟେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ଜାନୁଆରୀ ୧ ତାରିଖରେ ଦିବା ପହୁଡ ହେବନାହିଁ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ଆଜି ବୈଠକରେ ଚୂଡାନ୍ତ ନୀତି ନିର୍ଘଣ୍ଟକୁ ଆସନ୍ତା ୧୧ ତାରିଖରେ ହେବାକୁ ଥିବା ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯିବା ପରେ ପରିଚାଳନା କମିଟିରେ ପାରିତ କରାଯିବ। ତେବେ ଆଜିର ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତା କରିଥିବା ବେଳେ ଶ୍ରୀମନ୍ଦିର ନୀତି ପ୍ରଶାସକ, ଜିଲ୍ଲାପାଳ, ପରିଚାଳନା କମିଟିର ସଦସ୍ୟ, ନୀତି ସବକମିଟି ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!