ନୂଆଦିଲ୍ଲୀ,୮/୧୨: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ଲୋକସଭାରୁ ବହିଷ୍କୃତ ହୋଇଛନ୍ତି। ଟଙ୍କା ବଦଳରେ ପ୍ରଶ୍ନ ପଚାରିବା ମାମଲାରେ ଏଥିକ୍ସ କମିଟିର ରିପୋର୍ଟ ଆଧାରରେ ତାଙ୍କୁ ବହିଷ୍କୃତ କରାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମହୁଆ ମୈତ୍ରଙ୍କ ବହିଷ୍କାର ପ୍ରସ୍ତାବ ଉପସ୍ଥାପନ କରିଥିଲେ, ଯାହା ଗୃହରେ ବାଚନିକ ଭୋଟ୍ରେ ଗୃହୀତ ହୋଇଥିଲା। ମହୁଆଙ୍କ ବିରୋଧରେ ଟଙ୍କା ବଦଳରେ ପ୍ରଶ୍ନ ପଚାରିବା ମାମଲାର ତଦନ୍ତ କରି ସଂସଦର ଏଥିକ୍ସ କମିଟି ପକ୍ଷରୁ ଶୁକ୍ରବାର ଲୋକସଭାରେ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ଏହା ଉପରେ ଗୃହରେ ବିତର୍କ ହେବା ପରେ ମହୁଆଙ୍କୁ ବହିଷ୍କାର ପାଇଁ ଏଥିକ୍ସ କମିଟି କରିଥିବା ସୁପାରିଶ ଗୃହୀତ ହୋଇଥିଲା। ପ୍ରାୟ ୫ଶହ ପୃଷ୍ଠାର ରିପୋର୍ଟରେ ମହୁଆଙ୍କ ସାଂସଦ ପଦ ରଦ୍ଦ କରିବାକୁ ସୁପାରିଶ କରାଯାଇଥିଲା। ସୂଚନାଯୋଗ୍ୟ, ସଂସଦରେ ମୋଦୀ ସରକାରକୁ ସମାଲୋଚନା ପୂର୍ବକ ପ୍ରଶ୍ନ ପଚାରିବା ବଦଳରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ନଗଦ ୨କୋଟି ଟଙ୍କା ଓ ଦାମୀ ଉପହାର ନେଇଥିବା ମହୁଆଙ୍କ ବିରୋଧରେ ଅଭିଯୋଗ ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |