ଓଡିଶାରୁ ସଂଦିଗ୍ଧ ଆତଙ୍କୀ ଗିରଫ ଘଟଣା,ମିଳିଲା ISI ଏଜେଣ୍ଟ ମାନଙ୍କ ସହ ଚାଟିଙ୍ଗର ତଥ୍ୟ

ଭୁବନେଶ୍ବର,୧୭।୧୨ :  ଜମ୍ମୁ କାଶ୍ମୀର ପୁଲିସ୍‌ର ମୋଷ୍ଟୱାଣ୍ଟେଡ୍‌ ତାଲିକାରେ ଥିବା ଜଣେ ଆତଙ୍କବାଦୀ ସୟଦ ଈଶାନ ବୁଖାରୀକୁ କ୍ରାଇମ୍‌‌ବ୍ରାଞ୍ଚ୍‌ର ଏସ୍‌‌ଟିଏଫ୍ ଗତକାଲି ଯାଜପୁରରୁ ଗିରଫ କରିଛି। ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ସେ ଦୀର୍ଘ ୫ବର୍ଷ ଧରି ଜିଲ୍ଲାର ନେଉଳପୁରରେ ଛଦ୍ମବେଶରେ ଲୁଚିଥିଲା। କେବଳ ଡାକ୍ତର ନୁହେଁ; କେେତବେଳେ ସେ ନିଜକୁ ପ୍ରଧାନମନ୍ତ୍ରୀ ଅଫିସ୍‌‌ର କର୍ମଚାରୀ ତ ଆଉ କେତେବେଳେ ଅନ୍ୟ କୌଣସି ବଡ଼ ଅଫିସର୍‌ ଥିବା କହି ବହୁରୂପୀ ଏଣ୍ଡୁଅ ଭଳି ସେ ବାରମ୍ବାର ପରିଚୟ ବଦଳାଉଥିବାରୁ, ପୁଲିସ ତା’ର ଅସଲ ରୂପ ଜାଣିପାରୁ ନ ଥିଲା। ଏସ୍‌‌ଟିଏଫ୍ ଆଜି ତାକୁ ଗିରଫ କରିବା ପରେ ତା’ର ଜନ୍ମ କୁଣ୍ଡଳୀ ବାହାର କରିଛି। ତା’ ପାଖରୁ ଜବତ ହୋଇଥିବା ବିଭିନ୍ନ ମେଡିକାଲ ସାର୍ଟି‌ଫିକେଟ୍‌ ସହ ୧୦୦ରୁ ଊର୍ଦ୍ଧ୍ବ ଡକ୍ୟୁମେଣ୍ଟ ଜାଲ୍‌ ବୋଲି କ୍ରାଇମବ୍ରାଞ୍ଚ ଆଇଜି ଜୟନାରାୟଣ ପଙ୍କଜ ସୂଚନା ଦେଇଛନ୍ତି। ପାକିସ୍ତାନ ଗୁଇନ୍ଦା ସଂସ୍ଥା ‘ଆଇଏସ୍‌‌ଆଇ’ ସହ ମଧ୍ୟ ତା’ର ଲିଙ୍କ୍‌ ଥିବା ନେଇ ସୂଚନା ମିଳିଛି। ତେଣୁ ଏନ୍‌‌ଆଇଏ, ଜାମ୍ମୁ-କାଶ୍ମୀର, ପଞ୍ଜାବ ଏବଂ ୟୁପି ପୁଲିସ ଏ ବାବଦରେ ତାକୁ ଅଧିକ ଜେରା କରିବାକୁ ଓଡ଼ିଶା ଆସିବେ ବୋଲି ଜଣାଯାଇଛି।ଆଇଏସଆଇ ଲିଙ୍କ ନେଇ STF ହାତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି । ବିଭିନ୍ନ ରାଜ୍ୟରେ ପ୍ରେମିକାଙ୍କୁ ଢାଲ କରି ଶତ୍ରୁ ପକ୍ଷକୁ ପଠାଉଥିଲା ଗୋପନୀୟ ତଥ୍ୟ ବୋଲି ସୂଚନା ମିଳିଛି । ୭ ଜଣ ମହିଳାଙ୍କୁ ସେ ବିବାହ କରିଥିବା ନେଇ ସୂଚନା ପାଇଛି କ୍ରାଇମବ୍ରାଞ୍ଚ । ଖୁବଶୀଘ୍ର ସେମାନେ ମଧ୍ୟ ତଦନ୍ତ ପରିସରଭୁକ୍ତ ହେବେ । ପାକିସ୍ତାନର ଦୁଇ ସନ୍ଦିଗ୍ଧଙ୍କ ସହ ସୋସିଆଲ ମିଡିଆରେ କଥା ହେଉଥିଲା ଅଭିଯୁକ୍ତ ।କେରଳର କିଛି ମୌଳବାଦୀଙ୍କ ସମ୍ପର୍କରେ ଥିଲା । ଇଶାନ ପୂର୍ବରୁ ଠକେଇ ସହ ନିଶା କାରବାରରେ ସମ୍ପୃକ୍ତ ଥିବା STF ପକ୍ଷରୁ ସୂଚନା ମିଳିଛି । ଗତକାଲି ଅଭିଯୁକ୍ତକୁ ଯାଜପୁର ନେଉଳପୁରରୁ ଗିରଫ କରାଯାଇଥିଲା । ଜାମିନ ନାମଞ୍ଜୁର ହେବା ପରେ ଯାଜପୁର ରୋଡ ଉପକାରାଗାରକୁ ପଠାଯାଇଛି । ଆସନ୍ତାକାଲି ରିମାଣ୍ଡ ପାଇଁ ଆବେଦନ କରିପାରେ STF ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!