କେରଳରେ ଦେଶର ପ୍ରଥମ JN.1 ଭାରିଆଣ୍ଟ,ରାଜ୍ୟ ସହ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର ,୨୦।୧୨: ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ।ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଆନୁସଙ୍ଗିକ ସେବାର ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିବା ଲାଗି କେନ୍ଦ୍ରସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ମିଟିଂ ହେବ। ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବଙ୍କ ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ଆନୁସଙ୍ଗିକ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବେ।କୋଭିଡ୍‌‌ର ନୂଆ ଭାରିଆଣ୍ଟ ଜେଏନ୍‌‌.୧ କିଛି ରାଜ୍ୟରେ ଆତଙ୍କ ସୃଷ୍ଟି କରିଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପରାମର୍ଶ ଅନୁସାରେ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏପରିସ୍ଥଳେ ପୁଣିଥରେ ଓଡ଼ିଶାକୁ ମାସ୍କ ଫେରିବା ସମ୍ଭାବନା ସୃଷ୍ଟି ହେଲାଣି। ଏପଟେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ରାଜ୍ୟର ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସ୍ତୁତି ଜୋରଦାର ହୋଇଛି। ପରିସ୍ଥିତିକୁ ଦେଖି ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସବୁ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ କୋଭିଡ୍‌‌ ମୁକାବିଲା ପ୍ରସ୍ତୁତି ସଂକ୍ରାନ୍ତରେ ଆଲୋଚନା କରିବେ।ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ପ୍ରଫେସର୍‌ ବିଜୟ ମହାପାତ୍ର କହିଛନ୍ତି, ନୂଆ ଭାରିଆଣ୍ଟ କେତେ ବିପଜ୍ଜନକ, ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ। ତଥାପି ଆମେ ଜିଲ୍ଲା ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଛୁ। ଆରଟି-ପିସିଆର୍‌ ଟେଷ୍ଟ ସେଣ୍ଟର ପୁନଃ କାର୍ଯ୍ୟକ୍ଷମ କରାଯାଉଛି। ଡାକ୍ତରଖାନାରେ ଅମ୍ଳଜାନ୍‌‌, ଔଷଧ, କିଟ୍‌‌ ଆଦି ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି। କେଉଁଠି ବି ସନ୍ଦିଗ୍ଧ ସଂକ୍ରମିତ ଚିହ୍ନଟ ହେଲେ ତାହା ତୁରନ୍ତ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବା ପାଇଁ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପଜିଟିଭ୍‌‌ ନମୁନା ଜିନୋମ ସିକ୍ୱେନ୍ସିଂ ବ୍ୟବସ୍ଥା ମଧ୍ୟ ହୋଇଛି। ଯେହେତୁ ଏହି ଭୂତାଣୁର ନୂଆ ପ୍ରଜାତି ସମ୍ପର୍କରେ ଅଧିକ ଜଣାନାହିଁ ସେଥିପାଇଁ ଆମେ ସତର୍କତାମୂଳକ ପଦକ୍ଷେପ ନେବା ଜରୁରୀ ବୋଲି ଡାକ୍ତର ମହାପାତ୍ର କହିଛନ୍ତି।ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ପରେ ଜିଲ୍ଲାସ୍ତରରେ ସର୍ଭେଲାନ୍ସ ୟୁନିଟ୍‌‌ ପ୍ରସ୍ତୁତ କରିବା ଆରମ୍ଭ ହୋଇଛି। ବାହାରୁ ଆସୁଥିବା ବିଶେଷକରି ବିଦେଶ ଫେରନ୍ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବା ଓ ଡାକ୍ତରଖାନାରେ ବନ୍ଦ ରହିଥିବା କୋଭିଡ୍‌‌ କାଉଣ୍ଟର ଖୋଲିବାକୁ ପରାମର୍ଶ ଦିଆଯାଇଛି। ଏବେ ଶୀତ ଦିନ ପାଇଁ ଘରେ ଘରେ ଥଣ୍ଡା, ଜ୍ୱର, କାଶ ଲାଗି ରହିଛି। ଡାକ୍ତରଖାନାରେ ଥଣ୍ଡା, ଜ୍ୱର, କାଠ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଏପରିସ୍ଥଳେ ପୂର୍ବର କୋଭିଡ୍‌‌ ଗାଇଡ୍‌‌ଲାଇନ୍‌‌ ପାଳନ କରି ଭିଡ଼ରୁ ଦୂରେଇ ରହିବା ଏବଂ ମାସ୍କ ପିନ୍ଧିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!