ଭୁବନେଶ୍ୱର,୨୩।୧୨: : ରାଜ୍ୟରେ ୧୪୮୨.୫୩କୋଟି ଟଙ୍କାର ୭ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ଅନୁମୋଦନ କରିଛନ୍ତି । ରାଜ୍ୟରେ ୧୧,୯୬୯ ଜଣ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଶିଳ୍ପ ଓ ରୂପାନ୍ତରଣ ଆଡ଼କୁ ପୁଣି ଏକ ପାଦ ବଢ଼ାଇଛନ୍ତି ରାଜ୍ୟ ସରକାର ।ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ୧୪୮୨.୫୩ କୋଟି ଟଙ୍କା ମୂଲ୍ୟ ବିଶିଷ୍ଟ ୭ଟି ଶିଳ୍ପ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହି ଶିଳ୍ପ ପ୍ରସ୍ତାବ କାର୍ଯ୍ୟକାରୀ ହେବା ଫଳରେ ରାଜ୍ୟରେ ୧୧,୯୬୯ ବା ପାଖାପାଖି ୧୨ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।ତେବେ ଅନୁମୋଦନ ମିଳିଥିବା ୭ଟି ଶିଳ୍ପ ପ୍ରସ୍ତାବ ମଧ୍ୟରେ ବୟନ, ରାସାୟନିକ, ଖଣି, ଇସ୍ପାତ, ବାୟୋଗ୍ୟାସ ଏନର୍ଜି ଆଦି କ୍ଷେତ୍ର ରହିଛି । ରାଜ୍ୟର ବାଲେଶ୍ୱର, ରାୟଗଡ଼ା, ଯାଜପୁର, ଖୋର୍ଦ୍ଧା, କେନ୍ଦୁଝର, ଗଞ୍ଜାମ, ସୁନ୍ଦରଗଡ଼ ଆଦି ଜିଲ୍ଲାମାନେଙ୍କରେ ଏହି ସବୁ ଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଖୋର୍ଦ୍ଧାରେ ୨୧୪ କୋଟି ନିବେଶ କରି ଏମଏଏସ ଉଦ୍ୟତ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ବୟନ ଶିଳ୍ପ ପ୍ରତିଷ୍ଠା କରିବା ଫଳରେ ସେଠାରେ ୮୮୪୪ ଜଣଙ୍କୁ ନିଯୁକ୍ତି ମିଳିବ । ସେହିପରି କେନ୍ଦୁଝରରେ ୮୦୦ କୋଟି ନିବେଶ କରି ଟେକ୍ ଏଆଇସି ଡିଆରଆଇ ପେଲେଟ୍ସ ପ୍ରାଇଭେଟ ଲିମିଟେଡ ୨୦୧୩ ଜଣଙ୍କୁ ନିଯୁକ୍ତି ଦେବ । ଏଥିସହିତ ବିଭିନ୍ନ ଶିଳ୍ପରେ ନିବେଶ କରାଯିବା ଫଳରେ କଳିଙ୍ଗନଗରରେ ୪୬୫ ଜଣ, ବାଲେଶ୍ୱରରେ ୬୯ ଜଣ, ରାୟଗଡ଼ାରେ ୧୯୮ ଜଣ ନିଯୁକ୍ତି ପାଇବେ ବୋଲି ଜଣାପଡ଼ିଛି ।ସେହିପରି ଗଞ୍ଜାମରେ ୫୨କୋଟି ଟଙ୍କା ବ୍ୟୟରେ ଭିନର ଲ୍ୟାବ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଫାଇନ୍ କେମିକାଲ ଉତ୍ପାଦନ ୟୁନିଟ୍ ସ୍ଥାପନ କରାଯିବ । ଏଠାରୁ ବାର୍ଷିକ ୬୦୦ଟନ୍ ଫାଇନ୍ କେମିକାଲ ଉତ୍ପାଦନ ହେବ ଓ ୧୩୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।ସେହିପରି ଆଲେନ୍ ଷ୍ଟିଲ ଇଣ୍ଡଷ୍ଟ୍ରିଜ୍ ଦ୍ୱାରା କଳିଙ୍ଗନଗରରେ ୧୭୮କୋଟି ଟଙ୍କା ବ୍ୟୟରେ ସିଆର ପ୍ରିକିସନ୍ ପାଇପ୍ ତିଆରି ୟୁନିଟ୍ ସ୍ଥାପନ କରାଯିବ ବୋଲି ଜଣାପଡ଼ିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |