ଭୁବନେଶ୍ଵର,୨୩।୧୨: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ.ଏମ. ରାଜେନ୍ଦ୍ରନଙ୍କ ପରଲୋକ ହୋଇଛି । ସେ କିଛି ଦିନ ହେଲେ ଚେନ୍ନାଇ ଆପୋଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ସେ ପତ୍ନୀ ସୁଶୀଳା ରାଜେନ୍ଦ୍ରନଙ୍କ ସହ ଦୁଇ ପୁଅ ଓ ଝିଅକୁ ଛାଡ଼ି ଆର ପାରିକୁ ଚାଲି ଯାଇଛନ୍ତି।୧୯୫୭ ବ୍ୟାଚ୍ର ଆଇଏଏସ ଟପ୍ପର ରାଜେନ୍ଦ୍ରନ ତାମିଲନାଡୁର ମୁଖ୍ୟ ସଚିବ ରହିଥିଲେ। ସେ ୧୯୯୯ରେ ଓଡିଶାର ରାଜ୍ୟପାଳ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ଆଉ ଏହି ସମୟରେ ଓଡିଶା ନିଜ ଇତିହାସର ସବୁଠୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ମହାବାତ୍ୟାର ସମ୍ମୁଖୀନ ହୋଇଥିଲା। ଏହି ସମୟରେ ଉଦ୍ଧାରକାର୍ଯ୍ୟ ଓ ରିଲିଫ ତଦାରଖ କରିବାରେ ଏବଂ ପ୍ରଶାସନିକ କଳକୁ ସଠିକ ଭାବେ ଦିଗଦର୍ଶନ ଦେବାରେ ରାଜ୍ୟପାଳ ଏମ ଏମ ରାଜେନ୍ଦ୍ରନ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ରାଜେନ୍ଦ୍ରନ ଓଡିଶାର ରାଜ୍ୟପାଳ ଥିବା ସମୟରେ ନିଜର ପୂର୍ଣ୍ଣ କାର୍ଯ୍ୟକାଳରେ ତିନି ଜଣ ମୁଖ୍ୟମନ୍ତ୍ରୀଙ୍କ ସହ ଉତ୍ତମ ସମନ୍ଵୟ ରଖି କାମ କରିଥିଲେ। ସେ ୟୁନିସେଫର କାର୍ଯ୍ୟକାରୀ ବୋର୍ଡର ସଦସ୍ୟ ଏବଂ ନ୍ୟୁୟର୍କରେ ଏହାର କାର୍ଯ୍ୟକ୍ରମ କମିଟିର ଉପାଧ୍ୟକ୍ଷ ଥିଲେ।୧୯୬୪ ମସିହାରେ ରାଜେନ୍ଦ୍ରନଙ୍କୁ ତାମିଲନାଡୁର ଧନୁଶକଡିର ଜିଲ୍ଲାପାଳ ଥିବା ସମୟରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାର ଅଭିଜ୍ଞତା ମିଳିଥିଲା। ଆଉ ୧୯୯୯ରେ ମହାବାତ୍ୟାର ମୁକାବିଲା ପାଇଁ ସରକାରୀ କଳକୁ ଦିଗଦର୍ଶନ ଦେବାରେ ତାଙ୍କ ଏହା ବେଶ ସହାୟକ ହୋଇଥିଲା। ଅଟଳ ବିହାରୀ ବାଜପେୟୀ ରାଜେନ୍ଦ୍ରନଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ। ବାଜପେୟୀ ତାଙ୍କୁ ଚିରାଚରିତ ଭାବେ ରାଜ୍ୟପାଳ ଦାୟିତ୍ଵ ନ ସମ୍ଭାଳି ସ୍ଥିତିର ମୁକାବିଲା କରିବାକୁ ଆହ୍ଵାନ ଦେଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |