ନୂଆଦିଲ୍ଲୀ,୨୩।୧୨: ଦେଶରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ 24 ଘଣ୍ଟା ମଧ୍ୟରେ ଦେଶରେ ଆଉ 752 ନୂଆ କୋଭିଡ୍-19 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 4 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ 22ଜଣ JN.1 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 3 ହଜାର 420କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା 5 ଲକ୍ଷ 33 ହଜାର 332 ରେ ପହଞ୍ଚିଛି। ଦେଶରେ ଦିନକୁ ଦିନ ବଢି ଚାଲିଛି କୋଭିଡର ଏହି ନୂଆ ଭାରିଆଣ୍ଟ ସଂକ୍ରମଣ। ଆଉ ଏଥିପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାରି ଭିତରେ ସବୁଠାରୁ ବଡ କଥା ହେଉଛି, ଓଡିଶାରେ ପ୍ରଥମ କରି କରୋନା ରୋଗୀ ଚିହ୍ନଟ ହେବା, ଯାହା କରୋନା ବ୍ୟାପିବାର ଅଶଙ୍କାକୁ ଆହୁରି ବଢାଇଛି। ଆଗକୁ ଆସୁଛି ନୂଆବର୍ଷ। ଜିରୋ ନାଇଟ ସେଲିବ୍ରେଶନର ଧୁମ୍ ବି ଚାଲିବ। ନାଚଗୀତରେ ଏକାକାର ହେବେ ଯୁବପିଢି। କୋଭିଡ ବ୍ୟାପିବାର ମାଧ୍ୟମ ହେଉଛି ନିଜେ ମଣିଷ। ତେବେ ଜଦି ଜିରୋ ନାଇଟ ସେଲିବ୍ରେଶନରେ ଏତେ ସଂଖ୍ୟକ ଲୋକ ଏକାଠି ହୁଅନ୍ତି ତେବେ କରୋନା ସଂକ୍ରମଣ ବଢିବାର ଆଶଙ୍କା ସୃଷ୍ଟି କରୁଛି।ଏବେ ଦେଶର 17ଟି ରାଜ୍ୟରେ କୋଭିଡ୍-19 ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି। କେରଳରେ 266, କର୍ଣ୍ଣାଟକରେ 70, ମହାରାଷ୍ଟ୍ରରେ 15, ତାମିଲନାଡୁରେ 13, ଗୁଜରାଟରେ 12 ଜଣ ଓ ଓଡ଼ିଶାରେ ଜଣେ ସଂକ୍ରମିତ ଚିହ୍ନଟ କରାଯାଇଛି। ଦେଶରେ ସମୁଦାୟ କୋଭିଡ୍-19 ଆକ୍ରାନ୍ତଙ୍କ ସଂଖ୍ୟା 4.5 କୋଟି ଅତିକ୍ରମ କରିଛି । କୋଭିଡ୍-19 ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ପାଉଥିବାରୁ ଶୁକ୍ରବାର କେନ୍ଦ୍ର ସରକାର ପ୍ରଭାବିତ ରାଜ୍ୟ ସରକାରଙ୍କୁ କୋଭିଡ୍ ପଜିଟିଭ୍ ଟେଷ୍ଟ୍ ସ୍ବାବ୍ ଗୁଡ଼ିକୁ ଜିନୋମ୍ ସିକ୍ବେନ୍ସିଙ୍ଗ୍ ପରୀକ୍ଷା ପାଇଁ ପଠାଇବାକୁ ନିର୍ଦେଶ ଦେଇଛନ୍ତି। ଫଳରେ ଗୁଣସୂତ୍ର ପରିବର୍ତ୍ତନ କରୁଥିବା କୋଭିଡ୍-19 ଭୂତାଣୁ ଚିହ୍ନଟ କରାଯାଇପାରିବ। ଭାରତରେ ପ୍ରତି ଘଣ୍ଟାରେ 26ରୁ 27 ଜଣ ସଂକ୍ରମିତ ହେଉଛନ୍ତି । ଏହି ତଥ୍ୟ ସାମ୍ନାକୁ ଆସିବା ପରେ ପୁଣିଥରେ ଭୟର ବାତାବରଣ ଖେଳିଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଜଣେ କରୋନା ଆକ୍ରାନ୍ତ ଟିହ୍ନଟ ହେବା ପରେ ଚିନ୍ତା ବଢ଼ିଛି । କରୋନା ପାଇଁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଘରୁ ବାହାରକୁ କୁଆଡେ ଯାଉଥିଲେ, ମାସ୍କ ପିନ୍ଧିବାକୁ କୁହାଯାଇଛି । ଏଭଳି ଲୋକଙ୍କୁ ଜନଗହଳି ଜାଗାକୁ ମଧ୍ୟ ନଯିବାକୁ ପରାମର୍ଶ ଦିଆଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |