ମୁମ୍ବାଇ,୨୬।୧୨ : ମୁମ୍ବାଇରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) କାର୍ଯ୍ୟାଳୟକୁ ବୋମାମାଡ଼ କରି ଉଡାଇ ଦେବାକୁ ଇ-ମେଲରେ ଧମକ ମିଳିଛି। ଏଥିରେ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି କରାଯାଇଛି।ଏହି ମାମଲାରେ ମୁମ୍ବାଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ଆରବିଆଇ ବ୍ୟତୀତ ଏଚଡ଼ିଏଫସି, ଆଇସିଆଇସିଆଇ ଏବଂ ମୁମ୍ବାଇର ମୋଟ ୧୧ଟି ସ୍ଥାନରେ ବୋମା ବିସ୍ଫୋରଣ ପାଇଁ ଧମକ ମିଳିଥିଲା ବେଳେ ପୋଲିସ ସମ୍ପୃକ୍ତ ସ୍ଥାନ ମାନଙ୍କୁ ଯାଇ ତଦନ୍ତ ଆରମ୍ଭ କରିଛି।ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଆଜି ସକାଳୁ ମୁମ୍ବାଇ ସ୍ଥିତ ଆରବିଆଇ କାର୍ଯ୍ୟାଳୟକୁ ଏକ ଧମକପୂର୍ଣ୍ଣ ଇ-ମେଲ ମିଳିଥିଲା ଯେଉଁଥିରେ ଅନେକ ସ୍ଥାନରେ ବୋମା ଲଗାଯାଇଥିବା ଦାବି କରାଯାଇଥିଲା। ଇ-ମେଲରେ ଆରବିଆଇ କାର୍ଯ୍ୟାଳୟ, ଏଚ୍ଡିଏଫ୍ସି ବ୍ୟାଙ୍କ ଏବଂ ଆଇସିଆଇସିଆଇ ବ୍ୟାଙ୍କରେ ବୋମା ରଖାଯାଇଥିବା ଦାବି କରାଯାଇଥିଲା। ଏଭଳି ଖବର ପ୍ରଚାରିତ ହେବା ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଇ-ମେଲରେ ଯେଉଁ ଯେଉଁ ସ୍ଥାନରେ ବୋମାମାଡ କରାଯିବାକୁ ଧମକ ଦିଆଯାଇଥିଲା ସେହିସବୁ ସ୍ଥାନରେ ପୁଲିସ ଯାଞ୍ଚ କରିଥିଲେ ବି କିଛି ଆପତ୍ତିଜନକ ଜିନିଷ ମିଳିପାରି ନାହିଁ । ଏମଆରଏ ମାର୍ଗ ପୁଲିସ ଷ୍ଟେସନରେ ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଛି।ଅନ୍ୟପଟେ ଧମକ ପୂର୍ଣ୍ଣ ମେଲରେ କୁହାଯାଇଥିଲା କି ବେସରକାରୀ ବ୍ୟାଙ୍କଗୁଡିକର ସହଯୋଗରେ ଆରବିଆଇ ଭାରତର ସବୁଠୁ ବଡ ଘୋଟାଲା କରିଛି । ଏହି ଘୋଟାଲାରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ କିଛି ବରିଷ୍ଠ ଅର୍ଥ ଅଧିକାରୀ ଏବଂ ଭାରତର କିଛି ପ୍ରସିଦ୍ଧ ମନ୍ତ୍ରୀ ସାମିଲ ଅଛନ୍ତି। ଏଥିପାଇଁ ଆମ ପାଖରେ ଯଥେଷ୍ଟ ପ୍ରମାଣ ଅଛି। ଉଭୟ ଆରବିଆଇ ଗଭର୍ଣ୍ଣର ଓ ଅର୍ଥମନ୍ତ୍ରୀ ତୁରନ୍ତ ସେମାନଙ୍କ ପଦରୁ ଇସ୍ତଫା ଦେବା ସହ ଘୋଟାଲାର ଖୁଲାସା କରି ଏକ ପ୍ରେସ ବିବୃତ୍ତି ଜାରି କରନ୍ତୁ। ଏହା ମଧ୍ୟ ଦାବି କରାଯାଇଛି ଯେ, ସରକାର ଦୁର୍ନୀତିରେ ସମ୍ପୃକ୍ତ ଥିବା ସମସ୍ତଙ୍କୁ ଦଣ୍ଡ ଦିଅନ୍ତୁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |