ଜାନୁଆରୀ ୧୪ରୁ କଂଗ୍ରେସର ‘ଭାରତ ନ୍ୟାୟ ଯାତ୍ରା

ନୂଆଦିଲ୍ଲୀ,୨୭।୧୨: ଜାନୁଆରି ୧୪ ତାରିଖରୁ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ ‘ଭାରତ ଯୋଡ଼ୋ ଯାତ୍ରା’ର ଦ୍ବିତୀୟ ସଂସ୍କରଣ ‘ଭାରତ ନ୍ୟାୟ ଯାତ୍ରା’ରେ ବାହାରିବେ ବୋଲି ଆଜି କଂଗ୍ରେସର ସାଧାରଣ ସମ୍ପାଦକ କେ. ସି. ବେଣୁଗୋପାଳ କହିଛନ୍ତି|ଭାରତ ଯୋଡ଼ୋ ଯାତ୍ରା ପରେ ଏବେ କଂଗ୍ରେସ କରିବ ‘ଭାରତ ନ୍ୟାୟ ଯାତ୍ରା’। ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ‘ଭାରତ ନ୍ୟାୟ ଯାତ୍ରା’ ଆରମ୍ଭ ହେବ। ଜାନୁଆରୀ ୧୪ରୁ ମଣିପୁରରୁ ଆରମ୍ଭ ହେବାକୁ ଥିବା ଏହି ଯାତ୍ରା ମାର୍ଚ୍ଚ ୨୦ରେ‌ ମୁମ୍ବାଇରେ ଶେଷ ହେବ । ଏହି ସମୟ ମଧ୍ୟରେ ୧୪ଟି ରାଜ୍ୟ ଏବଂ ୮୫ଟି ଜିଲ୍ଲାରେ ୬୨୦୦ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବ କଂଗ୍ରେସ ଦଳର ଏହି ଯାତ୍ରା ।ଆଜି କଂଗ୍ରେସର ସାଧାରଣ ସମ୍ପାଦକ (ସଂଗଠନ) କେ.ବେଣୁଗୋପାଳ ‘ଭାରତ ନ୍ୟାୟ ଯାତ୍ରା’ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, “ଦଳର ନେତା ରାହୁଲ ଗାନ୍ଧୀ ପୂର୍ବରୁ ପଶ୍ଚିମକୁ ଯାତ୍ରା କରିବା ଉଚିତ ବୋଲି କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ମତ ପ୍ରକାଶ ପାଇଥିଲା। ଜାନୁଆରୀ ୧୪ରୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ମଣିପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ‘ଭାରତ ନ୍ୟାୟ ଯାତ୍ରା’ ଆୟୋଜନ କରିବାକୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ନିଷ୍ପତ୍ତି ନେଇଛି ।ଜାନୁଆରି ୧୪ ତାରିଖ ଦିନ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍‌ଗେ ମଣିପୁରରେ ଏହି ‘ଭାରତ ନ୍ୟାୟ ଯାତ୍ରା’ର ଅନୁକୂଳ କରାଇବେ।ଜନସାଧାରଣଙ୍କ ପ୍ରତି ଅଧିକ ଉନ୍ମୁକ୍ତ ରହିବା ଉଦ୍ଦେଶ୍ୟରେ ବସ୍‌ ପରିବହନ ଜରିଆରେ ‘ଭାରତ ନ୍ୟାୟ ଯାତ୍ରା’ ଚାଲିବ। ମଝିରେ ମଝିରେ କିଛି କିଛି ଅଞ୍ଚଳରେ ପଦଯାତ୍ରା ବି କରାଯିବ।ଉତ୍ତରପୂର୍ବ ରାଜ୍ୟ ମଣିପୁରରୁ ଆରମ୍ଭ ହୋଇ ମହାରାଷ୍ଟ୍ରର ମୁମ୍ବାଇରେ ଏହି ଯାତ୍ରା ଶେଷ ହେବ। ୧୪ଟି ରାଜ୍ୟର ପ୍ରାୟ ୮୫ଟି ଜିଲ୍ଲା ଦେଇ ରାହୁଲ୍‌ ଗାନ୍ଧୀଙ୍କର ଏହି ଯାତ୍ରା ଚାଲିବ। ମଣିପୁର, ନାଗାଲାଣ୍ଡ୍‌, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ଗୁଜରାଟ ଓ ମହାରାଷ୍ଟ୍ର ରାଜ୍ୟ ଦେଇ ‘ଭାରତ ନ୍ୟାୟ ଯାତ୍ରା’ ୬,୨୦୦ କିଲୋମିଟର୍‌ ଅତିକ୍ରମ କରିବ।ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ‘ବିଜେପି’ ମୁଖପାତ୍ର ନଳିନୀ ‌କୋହ୍‌ଲି କହିଛନ୍ତି, ‘ସ୍ଲୋଗାନ୍‌’ ଫାନ୍ଦି ଲୋକଙ୍କୁ ଭୁଆଁବୁଲାଇ ହେବ ନାହିଁ। ରାହୁଲ୍‌ ଗାନ୍ଧୀ ଓ କଂଗ୍ରେସ ଜନସାଧାରଣଙ୍କୁ ଦୁଇ ପ୍ରକାର କଥା କହୁଥିବାରୁ ଭାରତବାସୀ ‘ଭାରତ ଯୋଡ଼ୋ ଯାତ୍ରା’କୁ ପ୍ରତ୍ୟାଖ୍ୟାନ କରିଥିଲେ। କଂଗ୍ରେସ ଭାବୁଛି କିଛି ‘ସ୍ଲୋଗାନ୍‌’ ଫାନ୍ଦି ଦେଲେ ଭାରତବାସୀଙ୍କୁ ଭୁଆଁବୁଲାଇ ହେବ। ୨୦୧୪ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଦ୍ବାରା ‘ପ୍ରକୃତ ନ୍ୟାୟ’ ପ୍ରଦାନ କରାଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!