ଭାରତର ବିଜୟ, ୭ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ,୪।୧: ଦେଢ଼ ଦିନରେ ଲଢ଼େଇ ଶେଷ କରି ଦେଇଛି ଭାରତ। ଦକ୍ଷିଣ ଆଫ୍ରିକାକୁ ତା’ର ମାଟିରେ ଧୂଳି ଚଟାଇଛନ୍ତି ରୋହିତ ଶର୍ମା ଆଣ୍ଡ କୋ। ଘରୋଇ ଟିମ ପ୍ରଥମ ଟେଷ୍ଟକୁ ମାତ୍ର ୩ ଦିନ ମଧ୍ୟରେ ଶେଷ କରି ରେକର୍ଡ କରିଥିଲା।ହେଲେ ଆଜି ଭାରତ ଦ୍ୱିତୀୟ ଟେଷ୍ଟକୁ ମାତ୍ର ଦେଢ଼ ଦିନରେ ଶେଷ କରି ନୂଆ କୀର୍ତ୍ତିମାନ ହାସଲ କରିଛି। ମ୍ୟାଚକୁ ୭ ୱିକେଟରେ ଜିତି ଭାରତୀୟ ଟିମ ଦୁଇଟି ଟିକିଆ ଟେଷ୍ଟ ସିରିଜକୁ ୧-୧ରେ ବରାବର କରିଛି।କେପଟାଉନରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ଆଜି ପୁଣି ଚମତ୍କାର ବୋଲିଂ କରିଛି ଟିମ୍ ଇଣ୍ଡିଆ । ଏଥିରେ ଏଡେନ ମାକରମଙ୍କ ଶତକ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ତା’ର ଦ୍ୱିତୀୟ ଇନିଂସରେ ୧୭୬ ରନ କରି ଅଲଆଉଟ ହୋଇଯାଇଛି । ଫଳରେ ପ୍ରଥମ ଇନିଂସରେ ୯୮ ରନର ଗୁରୁତ୍ୱପୂର୍ଣ୍ଣ ଲିଡ ହାସଲ କରିଥିବା ଭାରତକୁ ବିଜୟ ପାଇଁ ୭୯ ରନର ଟାର୍ଗେଟ ମିଳିଥିଲା । ଆଜିର ଏହି ଦ୍ୱିତୀୟ ଇନିଂସରେ କମାଲ କରିଛନ୍ତି ଯଶପ୍ରୀତ ବୁମ୍ରା । ସେ ସର୍ବାଧିକ ୬ଟି ୱିକେଟ ନେଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ମୁକେଶ କୁମାର ୨ଟି, ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଗୋଟିଏ ଲେଖାଏ ୱିକେଟ ହାସଲ କରିଛନ୍ତି ।ତେବେ କେବଳ ମାକରମଙ୍କୁ ଛାଡ଼ି ଦେଲେ ଦକ୍ଷିଣ ଆଫ୍ରିକାର ଆଉ କୌଣସି ବ୍ୟାଟ୍ସମ୍ୟାନ ଭାରତର ବୋଲିଂକୁ ସାମ୍ନା କରିପାରିନଥିଲେ। ଗୋଟିଏ ପଟେ ଦଳ ୱିକେଟ ହରାଉଥିବା ବେଳେ ମାକରମ ଅନ୍ୟପଟେ ବ୍ୟାଟିଂ ଭାର ସମ୍ଭାଳିଥିଲେ। ଏପରି ପରିସ୍ଥିତିରେ ସେ ନିଜର ଶତକ ହାସଲ କରିବାରେ ସକ୍ଷମ ମଧ୍ୟ ହୋଇଥିଲେ। ଦଳ ପାଇଁ ସେ ୧୦୬ ରନ ସଂଗ୍ରହ କରିଥିବା ବେଳେ ମହମ୍ମଦ ସିରାଜ ତାଙ୍କ ୱିକେଟ ନେଇ ଦକ୍ଷିଣ ଆଫ୍ରିକାକୁ ୮ମ ଝଟକା ଦେଇଥିଲେ। ଏହାପରେ ଦକ୍ଷିଣ ଆଫ୍ରିକାର ଲମ୍ବା ସ୍କୋର ହାସଲ କରିବାର ଆଶା ମଉଳି ଯାଇଥିଲା। ଶେଷରେ ବୁମ୍ରା ଶେଷ ବ୍ୟାଟର ଭାବେ ଲୁଙ୍ଗି ଏନଗିଡିଙ୍କୁ ଆଉଟ କରି ଦକ୍ଷିଣ ଆଫ୍ରିକା ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଫଳରେ ଭାରତ ଆଗରେ ୭୯ ରନର ବିଜୟ ଲକ୍ଷ୍ୟ ରହିଥିଲା। ଏହାପରେ ଟିମ୍ ଇଣ୍ଡିଆ ପକ୍ଷରୁ ଯଶସ୍ଵୀ ଜୟସ୍ୱାଲ ୨୮ ରନ କରିଥିବାବେଳେ ରୋହିତ ଶର୍ମା ୧୭ ରନ କରିଥିଲେ । ବିରାଟ କୋହଲି ୧୨ ରନ କରି ଆଉଟ ହୋଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!