ଭୁବନେଶ୍ୱର,୫ା୧ : ଟ୍ରକ ଚାଳକଙ୍କ ସହ ସାମିଲ ହେବେ ବସ ଚାଳକ ସଂଘ|କେନ୍ଦ୍ର ସରକାରଙ୍କ ନୂଆ ସଡ଼କ ଦୁର୍ଘଟଣା ଆଇନକୁ ବିରୋଧ କରି ଚାଳକ ମହାସଂଘର ଅନିର୍ଦିଷ୍ଟକାଳ ଷ୍ଟିଅରିଂ ଛାଡ଼ ଧର୍ମଘଟ ଆରମ୍ଭ କରିଛି। ନୂତନ ଆଇନ ଅନୁସାରେ ଦୁର୍ଘଟଣା ଘଟାଇ ଗାଡି ଚାଳକ ସୂଚନା ନଦେଇ ଚାଲିଗଲେ ୧୦ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହିତ ୭ଲକ୍ଷ ଟଙ୍କା ଚାଳକଙ୍କୁ ଜୋରିମାନ ଦେବାକୁ ପଡିବ। ଏହାକୁ ବିରୋଧ କରି ଦେଶବ୍ୟାପୀ ଚାଳକ ମହାସଂଘ ଗୁଡିକ ଧର୍ମଘଟକୁ ଓହ୍ଲାଇ ଥିବାବେଳେ ଓଡ଼ିଶାରେ ଚାଳକମାନେ ଦୁଇଟି ଦାବିକୁ ନେଇ ଗୁରୁବାରଠାରୁ ଧର୍ମଘଟକୁ ଓହ୍ଲାଇଛନ୍ତି। କେନ୍ଦ୍ର ସରକାରଙ୍କ ନୂଆ ଆଇନ ପ୍ରତ୍ୟାହାର ଏବଂ ରାଜ୍ୟ ସରକାର ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ ହେଲେ ବୀମାରାଶି ବାବଦରେ ଅର୍ଥ ପ୍ରଦାନ କରିବାକୁ ଘୋଷଣା କରିଥିବା ବେଳେ ତାହାକୁ କାର୍ଯ୍ୟକାରୀ କରାଯାଉ ନାହିଁ। ଏହାକୁ ବିରୋଧ କରି ରାଜ୍ୟରେ ଚାଳକମାନେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ କରିଛନ୍ତି। ଆଗାମୀ ଦୁଇ ଦିନ ମଧ୍ୟରେ ସମଗ୍ର ରାଜ୍ୟର ଚାଳକ ଆନ୍ଦୋଳନରେ ସାମିଲ ହେବେ। ଗୁରୁବାର ବୈଠକ ବସି ତୁରନ୍ତ ଧର୍ମଘଟ କରିବାକୁ ନିଷ୍ପତ୍ତି ନିଆଯାଇ ଥିବାରୁ ଦୂରଦୂରାନ୍ତ ଯାଇଥିବା ଲୋକ ଫେରିବା ପାଇଁ ଦୁଇଦିନ ପର୍ଯ୍ୟନ୍ତ ବସ ଚଳାଚଳରେ କୋହଳ କରାଯିବ। ତୃତୀୟ ଦିନଠାରୁ ଧର୍ମଘଟକୁ ବ୍ୟାପକ କରାଯିବ। ଯେତେବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଦାବି ପୂରଣ କରିବେ ସେତେବେଳେ ଧର୍ମଘଟ ସ୍ଥଗିତ ରଖାଯିବ ବୋଲି ଓଡ଼ିଶା ଚାଳକ ମହାସଂଘ ପକ୍ଷରୁ କୁହାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |