ଭୁବନେଶ୍ୱର,୬।୧:ମନ୍ତ୍ରୀଙ୍କ ଗାଡ଼ି ଧକ୍କାରେ ନାବାଳକ ଗୁରୁତର। ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ନାବାଳକ ଗୁରୁତର ଆହତ ହୋଇଛି। ରାୟଗଡ଼ା କଲ୍ୟାଣସିଂହପୁର ବେଲକଣା ନିକଟରେ ଦୁର୍ଘଟଣା ଘଟିଛି। ଧକ୍କା ଦେଇ ଘଟଣାସ୍ଥଳରୁ ପଳାଉଥିବା ବେଳେ ମନ୍ତ୍ରୀଙ୍କ ଗାଡ଼ିର ପିଛା କରିଥିଲେ ଲୋକେ। ଦୁର୍ଘଟଣାସ୍ଥଳଠୁ କିଛି ଦୂରରେ ବାଇକ୍ରେ ଗୋଡ଼େଇ ଗୋଡ଼ାଇ ମନ୍ତ୍ରୀଙ୍କୁ ଅଟକାଇଥିଲେ।ସିକରପାଇ ଗାଁରେ ଭଲିବାଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଛି। ଏଥିରେ ଅତିଥିଭାବେ ଯୋଗଦେବା ପାଇଁ ଯାଇଥିଲେ ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା। ସେଠାରୁ ଫେରିବା ବେଳେ ବେଲକଣା ଛକଠାରେ ଜଣେ ନାବାଳକକୁ ଧକ୍କା ଦେଇଥିଲା ମନ୍ତ୍ରୀଙ୍କ ଗାଡ଼ି। ଦୁର୍ଘଟଣା ପରେ ମନ୍ତ୍ରୀ ମହାଶୟ ସାମାନ୍ୟତମ ମଣିଷ ପଣିଆ ଦେଖାଇଲେ ନାହିଁ। ନାବାଳକକୁ ଧକ୍କା ଦେଇ ମନ୍ତ୍ରୀଙ୍କ ଗାଡ଼ି ଦ୍ରୁତ ଗତିରେ ପଳାଇ ଯିବାକୁ ଚେଷ୍ଟା କରୁଥିଲେ।ସ୍ଥାନୀୟ ଲୋକେ ମନ୍ତ୍ରୀଙ୍କ ଗାଡ଼ିକୁ ପିଛା କରିଥିଲେ। ପ୍ରାୟ ଦେଢ ଶହ ମିଟର ଦୂରରେ ମନ୍ତ୍ରୀଙ୍କ ଗାଡ଼ିକୁ ଅଟକାଇ ଥିଲେ ସ୍ଥାନୀୟ ଲୋକେ। ଯାହା ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ମନ୍ତ୍ରୀ ନାବାଳକଙ୍କୁ ନିଜ ଗାଡ଼ିରେ ଆଣି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ନାବାଳକଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟୁଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |