କଟକ,୧୨।୧ : ରାଜ୍ୟରେ ଏମ୍ପି ଏବଂ ବିଧାୟକଙ୍କ ବିରୋଧରେ ଥିବା ଆପରାଧିକ ମାମଲାଗୁଡ଼ିକର ତ୍ୱରିତ ଶୁଣାଣି ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ଏମ୍ଏସ୍ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ରି ଡେଜିଗ୍ନେଟେଡ୍ କୋର୍ଟସ୍ ଫର୍ ଏମ୍ପି ଆଣ୍ଡ ଏମ୍ଏଲ୍ଏ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ଏପରି ଆଦେଶ ଦେଇଛନ୍ତି। ୨ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।ରାଜ୍ୟରେ ବିଭିନ୍ନ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ସମୁଦାୟ ୪୨୩ଟି ଫୌଜଦାରୀ ମାମଲା ବିଚାରାଧୀନ ରହିଛି। ତା’ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ରହିଛି ସର୍ବାଧିକ ୮୬ଟି ମାମଲା। ସେହିପରି ୫୩ଟି ମାମଲା ସହ ସୁନ୍ଦରଗଡ଼ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଗଞ୍ଜାମ ୫୧ଟି ମାମଲା ସହ ତୃତୀୟ ଏବଂ କୋରାପୁଟ ୪୮ଟି ମାମଲା ସହ ଚତୁର୍ଥ ସ୍ଥାନରେ ରହିଛି।କିନ୍ତୁ ପୁରୀ, ଭଦ୍ରକ, ଯାଜପୁର, ଜଗତସିଂହପୁର ସମେତ ୧୭ଟି ଜିଲ୍ଲାରେ କୌଣସି ସାଂସଦ କିମ୍ବା ବିଧାୟକଙ୍କ ବିରୋଧରେ ଗୋଟିଏ ବି ମାମଲା ବିଚାରାଧୀନ ନାହିଁ ବୋଲି ହାଇକୋର୍ଟରେ ତଥ୍ୟ ଦାଖଲ ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |