ନୂଆଦିଲ୍ଲୀ,୧୪।୧:ଗତବର୍ଷ ଡିସେମ୍ବର ୧୩ରେ ସଂସଦ ଅଧିବେଶନ ଚାଲିଥିବା ସମୟରେ ଅଭିଯୁକ୍ତମାନେ ସୁରକ୍ଷା ବଳୟ ଟପି ଗୃହ ମଧ୍ୟରେ ଏକ ପ୍ରକାର ଧୂଆଁ ଛାଡ଼ିଥିଲେ।ସଂସଦ ସୁରକ୍ଷା ଉଲ୍ଲଙ୍ଘନ ମାମଲାରେ ଦିଲ୍ଲିର ପଟିଆଲା ହାଉସ୍ କୋର୍ଟ ୬ ଜଣ ଅଭିଯୁକ୍ତଙ୍କୁ ଚଳିତ ମାସ ୨୭ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଗତକାଲି ଦିଲ୍ଲୀ ପୁଲିସ୍ ସେମାନଙ୍କୁ କୋର୍ଟରେ ହାଜର କରାଇଥିଲା। ସେହି ଅଭିଯୁକ୍ତମାନେ ହେଉଛନ୍ତି – ମନୋରଞ୍ଜନ ଡି., ସାଗର ଶର୍ମା, ଲଳିତ ଝା, ଅମୋଲ୍ ସିନ୍ଦେ, ମହେଶ କୁମାୱତ୍ ଏବଂ ନିଲମ୍ ଆଜାଦ।ଏହି ମାମଲାରେ ପୁଲିସ୍ ସେମାନଙ୍କୁ ପଚରା ଉଚରା କରୁଥିଲା। ପଟିଆଲା ହାଉସ୍ କୋର୍ଟର ଅତିରିକ୍ତ ସେସନ୍ସ ଜଜ୍ ହରଦୀପ କୌର୍ ଅଭିଯୁକ୍ତମାନଙ୍କୁ ୨୭ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତ୍କୁ ପଠାଇଛନ୍ତି। ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ସେମାନଙ୍କୁ ବିଚାର ବିଭାଗୀୟ ହାଜତ୍କୁ ପଠାଇବା ଲାଗି ଦିଲ୍ଲୀ ପୁଲସ୍ ପକ୍ଷରୁ ଆବେଦନ କରାଯାଇଥିଲା। ଗତ ଜାନୁୟାରୀ ୫ରେ ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣ ସେମାନଙ୍କ ପଲିଗ୍ରାଫ୍ ଟେଷ୍ଟ ପାଇଁ ସମ୍ମତି ଦେଇଥିଲେ। ଏହାଛଡ଼ା ଅଭିଯୁକ୍ତ ମନୋରଞ୍ଜନ ଡି. ଏବଂ ସାଗର ଶର୍ମା ନାର୍କୋ ଆନାଲିସିସ୍ ଏବଂ ବ୍ରେନ୍ ମ୍ୟାପିଙ୍ଗ୍ ପାଇଁ ସମ୍ମତି ଦେଇଥିବା ଜଣାପଡ଼ିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |