ଆଜି ପବିତ୍ର ମକର ସଂକ୍ରାନ୍ତି; ମହାପ୍ରଭୁଙ୍କ ମକରଚୌରାଶୀ ବେଶ

 ପୁରୀ ,୧୫।୧:ଆଜି ପବିତ୍ର ମକର ସଂକ୍ରାନ୍ତି ।ପବିତ୍ର ମକର ସଂକ୍ରାନ୍ତି ଅବସରରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଅଛି ସ୍ୱତନ୍ତ୍ର ନୀତିକାନ୍ତି । ମକର ସଂକ୍ରାନ୍ତିରେ ମକରଚୌରାଶୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ମହାପ୍ରଭୁଙ୍କ ସର୍ବାଙ୍ଗ ନୀତି କରାଯାଇ ନୂଆ ଲୁଗା, ଚୂଳ ମାଳ ଲାଗି କରାଯାଇ ଛଅମୂର୍ତ୍ତି ଅଳଙ୍କାରରେ ଭୂଷିତ ହେବେ ଶ୍ରୀଜିଉ । ମଧ୍ୟାହ୍ନ ଧୂପ ପରେ ନଡିଆ, ଘିଅ, ମିଠା, ଦୁଧ, ସର, ଖୁଆ ଓ ଚାଉଳର ମିଶ୍ରଣରେ ପ୍ରସ୍ତୁତ ମକର ଭୋଗ ଶ୍ରୀଜିଉଙ୍କ ପାଖରେ ଲାଗି ହେବ । ଏ ଅବସରରେ ବିଭିନ୍ନ ମଠ ମନ୍ଦିର ଏବଂ ଶ୍ରୀକ୍ଷେତ୍ରର ଘରେ ଘରେ ମକର ଚାଉଳ ପ୍ରସ୍ତୁତ କରାଯାଇ ଭୋଗ ରୂପେ ଅର୍ପଣ କରିବାର ପରମ୍ପରା ରହିଛି । ଇଷ୍ଟଦେବୀଙ୍କ ଠାରେ ଲାଗି ହେବା ପରେ ଘରେ ଘରେ ଲୋକ ମକର ଚାଉଳ ଖାଇବେ । ନୂତନ ବସ୍ତ୍ର ପିନ୍ଧି ଘରର ବୟୋଜ୍ୟେଷ୍ଠ ମାନଙ୍କୁ ମୁଣ୍ଡିଆ ମାରିବେ । ଏହାପରେ ଘରେ ପ୍ରସ୍ତୁତ ଭଳିକି ଭଳି ପିଠା ସହ ମିଠା ଖାଇବାର ପରମ୍ପରା ରହିଛି । ଆଜିର ଦିନରେ ଗୁଡ଼ି ଉଡାଇବାର ମଧ୍ୟ ପରମ୍ପରା ରହିଛି, ତେବେ ସୁରକ୍ଷା ଦୃଷ୍ଟିରୁ ଗୁଡ଼ି ଉଡାଇବାବେଳେ ମାଞ୍ଜା ସୁତା କିମ୍ବା ଚାଇନିଜ୍ ସୂତା ବ୍ୟବହାର ନକରିବାକୁ ପୋଲିସ କଡ଼ା ଚେତାବନୀ ଦେଇଛି । ଅନ୍ୟପଟେ ଆଜି ଠାରୁ ସୂର୍ଯ୍ୟଙ୍କ ହେବ ଉତ୍ତରାୟଣ । ଧୀରେ ଧୀରେ ଦିନ ବଢିବା ସହ ରାତି କମିବ । ଦକ୍ଷିଣ ଭାରତରେ ବି ପୋଙ୍ଗଲର ମାହୋଲ ଆଜି ପୋଙ୍ଗଲର ଶେଷ ଦିନ ଥିବାରୁ ତେଲୁଗୁ ସଂପ୍ରଦାୟର ଭାଇ ଭଉଣୀ ଏହି ଦିନକୁ ଧୁମଧାମରେ ପାଳନ କରୁଛନ୍ତି । ସପରିବାର ମକର ଚାଉଳ ରାନ୍ଧିବା ସହ ପିଠା ମିଠା ଖାଇ ପର୍ବ ପାଳନ କରୁଛନ୍ତି ।

 

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!