ଭୁବନେଶ୍ବର,,୧୬ା୧: ଆଜି ପ୍ରକାଶ ପାଇଛି ଜୁନିଅର ଟିଚର ( ସ୍କିମାଟିକ ) ରେଜଲ୍ଟ । ୨୦ ହଜାର ପଦ ପାଇଁ ୯୩ ହଜାର ୯୬୬ ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ । ଯେଉଁଥିରେ ସମୁଦାୟ ୧୮ ହଜାର ୭୮୮ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦୀର୍ଘ ୭ ବର୍ଷ ପରେ ବାହାରିଥିବା ଏହି ମେଗା ଟିଚର ନିଯୁକ୍ତି ପରୀକ୍ଷା ଗତ ବର୍ଷ ନଭେମ୍ବର ୩ରୁ ୧୭ ଯାଏ ଚାଲିଥିଲା । ପରୀକ୍ଷା ଫଳ osepa.odisha.gov.in ରେ ପ୍ରକାଶ ପାଇଛି ।ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ କନିଷ୍ଠ ଶିକ୍ଷକ ପଦ ପାଇଁ ମୋଟ ୯,୯୮୨ଜଣ କୃତିତ୍ୱ ଅର୍ଜନ କରିଛନ୍ତି। ତନ୍ମଧ୍ୟରୁ ବିଜ୍ଞାନରେ ୫,୯୯୬ଜଣ ସ୍ଥାନ ପାଇଥିବାବେଳେ କଳାରେ ୩,୭୯୯, ତେଲୁଗୁରେ ୧୬, ଉର୍ଦ୍ଦୁରେ ୧୫୯ ଏବଂ ବଙ୍ଗଳାରେ ୧୨ଜଣ ସ୍ଥାନ ପାଇଛନ୍ତି। ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଶିକ୍ଷକ ପାଇଁ ମୋଟ ୮,୮୦୬ଜଣ କୃତକାର୍ଯ୍ୟ ହୋଇଥିବାବେଳେ ବିଜ୍ଞାନରେ ୫,୦୧୪ଜଣ, କଳାରେ ୩,୭୦୫, ତେଲୁଗୁରେ ୧୧, ଉର୍ଦ୍ଦୁରେ ୨୪ ଏବଂ ବଙ୍ଗଳାରେ ୭ଜଣ କୃତକାର୍ଯ୍ୟ ହୋଇଛନ୍ତି। ଆସନ୍ତା ବୁଧବାର ମଧ୍ୟରେ ଡକ୍ୟୁମେଣ୍ଟ ଭେରିଫିକେଶନ ପ୍ରକ୍ରିୟା ଆରମ୍ଭ କରାଯିବ। ସପ୍ତାହେ ମଧ୍ୟରେ ଏହି ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ମଧ୍ୟ ଧାର୍ଯ୍ୟ ହୋଇଛି। ଏହାସହ ଚଳିତ ମାସ ଶେଷ ସୁଦ୍ଧା କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ସମସ୍ତ ପ୍ରସ୍ତୁତି କରାଯାଇଛି। ନିଯୁକ୍ତି ପାଇଁ ଓସେପା ପୂର୍ବରୁ ପ୍ରସ୍ତୁତି ଚଳାଇଛି। ଇତିମଧ୍ୟରେ ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ(ବିଇଓ)ମାନେ ପ୍ରାଥମିକତା ଭିତ୍ତିରେ ଶିକ୍ଷକ ଆବଶ୍ୟକ କରୁଥିବା ବିଦ୍ୟାଳୟର ତାଲିକା ପ୍ରଦାନ କରିଛନ୍ତି। ସେହି ତାଲିକା ଭିତ୍ତିରେ ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତି ଦିଆଯିବ ବୋଲି ସୂଚନା ଦିଆଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |