ସାକ୍ଷୀଗୋପାଳ,୨୨।୧ : ବହୁ ପ୍ରତିକ୍ଷିତ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୪ ତାରିଖରେ ଉଦ୍ଘାଟନ କରିବେ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।ପୁରୀ ଜିଲା ସତ୍ୟବାଦୀରେ ରାଜ୍ୟ ସରକାରଙ୍କ ନିର୍ମାଣାଧୀନ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂତନ ବିଲ୍ଡିଂକୁ ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ(ଭିସି) ମାଧ୍ୟମରେ ଲୋକାର୍ପଣ କରିବେ। ନିର୍ମାଣାଧୀନ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଏକ ପ୍ରଶାସନିକ କୋଠା, ୧୮୦ ବିଦ୍ୟାର୍ଥୀଙ୍କ ନିମନ୍ତେ ଶ୍ରେଣୀଗୃହ, ପାଠାଗାର, ବିଦ୍ୟାର୍ଥୀଙ୍କ ୨ଟି ଛାତ୍ରାବାସ, ଭୋଜନାଳୟ ଓ ରାଧାକୁଣ୍ଡ ପୋଖରୀର ଉନ୍ନତୀକରଣ ତଥା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ରହିଛି। ୨୪ ତାରିଖ ସକାଳ ୧୧ଟା ବେଳେ ସତ୍ୟବାଦୀ ହାଇସ୍କୁଲ ଖେଳପଡ଼ିଆରେ ଉଦ୍ଘାଟନୀ ସଭା ଅନୁଷ୍ଠିତ ହେବ।
ପ୍ରକାଶଥାଉକି, ଓଡ଼ିଆ ବିଶ୍ୱବିଦ୍ୟାଳୟର ନିର୍ମାଣ ନିମନ୍ତେ ୨୦୨୧ ଡିସେମ୍ବର ୮ରେ ମୁଖ୍ୟମନ୍ତ୍ରୀ ସତ୍ୟବାଦୀର ବକୁଳବନଠାରେ ଏକ ବକୁଳ ଗଛ ଲଗାଇବା ସହ ଏହାର ଭିତିପ୍ରସ୍ତର ସ୍ଥାପନ କରିଥିଲେ। ପରେ ବକୁଳବନଠାରେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ସାଇନ୍ ବୋର୍ଡ ଲଗାଯିବା ପରେ ଓବିସିସି ଉକ୍ତ ନିର୍ମାଣ କାର୍ଯ୍ୟ ହାତକୁ ନେଇ ଭୁବନେଶ୍ୱରର ଅଚାର୍ଯ୍ୟ ବ୍ରଦର୍ଶ କନ୍ଷ୍ଟ୍ରକଶନ ଲିମିଟେଡ୍କୁ ନିର୍ମାଣ କାର୍ଯ୍ୟ ପାଇଁ ହସ୍ତାନ୍ତର କରିଥିଲା। ପ୍ରଥମେ ସୂଚନା ଅନୁଯାୟୀ, ଗତବର୍ଷ ଅଗଷ୍ଟ ୩୧ରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସରିବ ବୋଲି କୁହାଯାଇଥିଲା। ହେଲେ ନିର୍ମାଣ କାର୍ଯ୍ୟ ନ ସରିବାରୁ ଏହାର ଅବଧି ପୁନର୍ବାର ବୃଦ୍ଧି କରାଗଲା। ଏପଟେ ସରକାର ଗତବର୍ଷ ସେପ୍ଟେମ୍ବର ୫ ଗୁରୁ ଦିବସ ଅବସରରେ ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ନ ସରିଥିବାରୁ ସାକ୍ଷୀଗୋପାଳ ପାନ୍ଥଶାଳାକୁ ଉଚ୍ଚ ଶିକ୍ଷା ବିଭାଗ ଭଡ଼ାସୂତ୍ରରେ ନେଇ ପ୍ରଥମ ପର୍ଯ୍ୟାୟରେ ପ୍ରାରମ୍ଭିକ ସ୍ନାତକୋତ୍ତର ପାଠ୍ୟଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ବିଶ୍ୱବିଦ୍ୟାଳୟରେ ୩ଟି ବିଭାଗରେ ୨୪ ଲେଖାଏଁ ସମୁଦାୟ ୭୨ଜଣ ବିଦ୍ୟାର୍ଥୀ ଅଧ୍ୟୟନ କରୁଛନ୍ତି। ବିଦ୍ୟାର୍ଥୀମାନେ ଏଠାରେ ପଢିବା ସହ ସ୍ଥାନୀୟ ସାକ୍ଷୀଗୋପାଳ କଲେଜ ହଷ୍ଟେଲରେ ରହୁଛନ୍ତି। ବିଶ୍ୱବିଦ୍ୟାଳୟରେ ଭିସି ପଦବୀ ବିଭାଗ ପୂରଣ ହୋଇଥିଲେ ମଧ୍ୟ ରେଜିଷ୍ଟ୍ରର, ଅଧ୍ୟକ୍ଷ, ପ୍ରଫେସର ଓ ଅଫିସ କର୍ମଚାରୀ ଡେପୁଟେଶନରେ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଏ ସମ୍ପର୍କରେ ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ ପଣ୍ଡା କହିଛନ୍ତି, ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପଣ୍ଡିଆନ ଓ ସତ୍ୟବାଦୀ ବିଧାୟକଙ୍କୁ କୃତଜ୍ଞତା ଦେବା ସହ ପଞ୍ଚସଖାଙ୍କ ପ୍ରତି ଏହା ରାଜ୍ୟ ସରକାରଙ୍କ ଏକ ସମ୍ମାନ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |