ଭିତରକନିକାରେ ବହୁସଂଖ୍ୟାରେ ଦେଖାଦେଲେ ଡଲ୍‌ଫିନ୍‌

ରାଜନଗର,୨୨ା୧ : କେନ୍ଦ୍ରାପଡ଼ା ଜିଲା ଭିତରକନିକାର    ଗହୀରମଥାରେ ସାମୁଦ୍ରିକ ଅଭୟାରଣ୍ୟରେ ଗତ ୨୦ ତାରିଖ ଠାରୁ ଚାଲିଛି ଡଲଫିନ୍‌ ଗଣନା। ଏହି ପ୍ରକ୍ରିୟା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଧାମରା ମୁହାଣଠାରୁ ଦେବୀ ମୁହାଣ ଯାଏ ସମୁଦ୍ର ମଧ୍ୟରେ ଓ ଭିତରକନିକା ମଧ୍ୟରେ ଥିବା କ୍ରିକ୍ ଓ ନଦୀରେ ୯ଟି ଗଣନାକାରୀ ଟିମ୍ ଡଲଫିନ୍‌ ଗଣନା କରୁଛନ୍ତି। ଏବେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀର ମୁହାଣରେ ଡଲ୍‌ଫିନ୍‌ମାନଙ୍କ ଜଳକ୍ରୀଡ଼ା ପର୍ଯ୍ୟଟକମାନଙ୍କୁ ବେଶ୍‌ ଆକର୍ଷିତ କରିବାରେ ଲାଗିଛି। ରାଜନଗର ବନ ବିଭାଗ ପକ୍ଷରୁ ଡଲ୍‌ଫିନ୍‌ ଗଣନା ୨୦ରୁ ଆରମ୍ଭ ହୋଇ ସୋମବାର ପର୍ଯ୍ୟନ୍ତ ଚାଲିବ। ପାଗ ପ୍ରତିକୂଳ ସତ୍ତ୍ୱେ ଗଣନାକାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଧାମରା ମୁହାଣଠାରୁ ଦେବୀ ମୁହାଣ ଯାଏଁ ସମୁଦ୍ର ଓ ଭିତରକନିକା ମଧ୍ୟରେ ଥିବା କ୍ରିକ୍‌ ଏବଂ ନଦୀରେ ୯ଟି ଗଣନାକାରୀ ଟିମ୍‌ ଡଲ୍‌ଫିନ୍‌ ଗଣନା କରୁଛନ୍ତି।ସୂଚନା ମୁତାବକ, ଚିଂଚିରି ମୁହାଣଠାରୁ ଅଗରନାସୀ ମଧ୍ୟରେ ଗଣନାକାରୀ ଟିମ୍ ୫ଟି ଇରାୱାର୍ଡି ଡଲଫିନ୍‌ ଦଳ ଦେଖିବାକୁ ପାଇଥିବା ବେଳେ ବାବୁବାଲିରୁ ଏକକୂଳା ମଧ୍ୟରେ ଗଣନାକାରୀ ଟିମ୍ ଗୋଟିଏ ଦଳରେ ଶତାଧିକ ଡଲଫିନ୍‌ଙ୍କୁ ଦେଖିଥିବା ସୂଚନା ମିଳିଛି। ଗଣନାକାରୀ ଟିମ୍‌ ଇରାୱାର୍ଡି ସହିତ ହମ୍ପବ୍ୟାକ୍, ବଟଲନୋଜ୍‌, ସ୍ପିନର୍‌ ପ୍ରଜାତିର ଡଲଫିନ ଦେଖିବାକୁ ପାଇଥିବା ଜଣାପଡିଛି। ପ୍ରତିକୂଳ କୋହଲା ପାଗରେ ଗଣନା ବେଳେ ବହୁସଂଖ୍ୟାରେ ଡଲଫିନ୍‌ଙ୍କ ସହିତ ଶାବକଙ୍କୁ ଦେଖିବାକୁ ମିଳିଥିବା ଗଣନାକାରୀ ଟିମ୍ ପକ୍ଷରୁ ସୂଚନା ମିଳିଛି। ଏହା ଭିତରକନିକା ଓ ଗହୀରମଥା ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି। ସୂଚନାଯୋଗ୍ୟ ଯେ ପୂର୍ବରୁ କେବଳ ଚିଲିକାରେ ଡଲଫିନ୍ ଗଣନା କରାଯାଉଥିଲା। ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ନିଷ୍ପତ୍ତି କ୍ରମେ ୨୦୧୫ ମସିହାଠାରୁ ଭିତରକନିକା ଅଂଚଳରେ ଡଲଫିନ୍ ଗଣନା କରାଯାଉଛି। ଭିତରକନିକା ଅଂଚଳରେ ଡଲଫିନ୍ ଗଣନା ପାଇଁ ଏ ବର୍ଷ ୯ଟି ଟିମ୍ ଗଠନ କରାଯାଇଛି। ଆଉଟର ହୁଇଲର୍‌ରୁ ଚିଂଚିରି ମାଉଥ୍, ବରୁଣେଇରୁ ପାରାଦୀପ, ହଂସିଣା ବ୍ରିଜ୍‌ରୁ ମାଇପୁରା ମାଉଥ୍, ରାଜନଗର ହଂସୁଆ ନଦୀରୁ ଖୋଳା, ଖୋଳାରୁ ଧାମରା ମାଉଥ୍ ଭାୟା ନଳିତାପାଟିଆ, କାଳିଭଂଜଡିଆଁ, ଜମ୍ବୁ ଖରନାସିରୁ ହୁକିଟେଲା, ପାରାଦୀପରୁ ଜଟାଧାର ମୁହାଣ ଓ ଦେବୀ ମୁହାଣରୁ ଜଟାଧାର ମୁହାଣ ଯାଏ ୯ଟି ଗ୍ରୁପ ଗଣନା କରୁଛନ୍ତି। ସମୁଦ୍ର ମଧ୍ୟରେ ୫ଟି ଟିମ୍ ଓ ନଦୀ, କ୍ରିକ୍‌ରେ ୪ଟି ଟିମ୍ ଡଲଫିନମାନଙ୍କ ଗଣନା କରୁଛନ୍ତି। ସୂଚନାଯୋଗ୍ୟ ଯେ ଚିଲିକା ଅଂଚଳରେ କେବଳ ଇରାୱାର୍ଡି ପ୍ରଜାତିର ଓ ଭିତରକନିକାରେ ୫ ପ୍ରକାର ଡଲଫିନ୍ ଦେଖା ଯାଇଥା’ନ୍ତି। ଗତବର୍ଷ ଗଣନା ସମୟରେ ସାରା ଓଡ଼ିଶାରେ ୭୩୩ଟି ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ଗହୀରମଥା ଓ ଭିତରକନିକାରେ ୫୫୦ଟି ଡଲଫିନ୍‌ ରହିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!