ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ

ଭୁବନେଶ୍ୱର,୨୭ା୧ :ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ ଘଟିଛି। ଏସସିବି ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।ଯାଜପୁର ବଡ଼ଚଣା ବାଲିପଡିଆ ଗାଁରେ ନୀଳମଣିଙ୍କ ଘର। ୪ ଦିନ ତଳେ ତାଙ୍କର ବ୍ରେନ୍‌ଷ୍ଟ୍ରୋକ୍‌ ହୋଇଥିଲା। ତାଙ୍କୁ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ଆଜି ଅପରାହ୍ନରେ ତାଙ୍କର ବିୟୋଗ ଘଟିଛି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ବିଶିଷ୍ଟ ବ୍ୟକ୍ତି ବିଶେଷ ମେଡିକାଲ୍‌ରେ ପହଞ୍ଚି ଅନ୍ତିମ ଦର୍ଶନ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଆଜି ତାଙ୍କ ମରଶରୀରକୁ ଜନ୍ମମାଟିକୁ ନିଆଯିବ। ଆସନ୍ତାକାଲି ଅନ୍ତିମ ସଂସ୍କାର କରାଯିବ ବୋଲି ତାଙ୍କ ପୁଅ ଚନ୍ଦ୍ରକାନ୍ତ ସାମଲ କହିଛନ୍ତି।ବିଶିଷ୍ଟ ସଂଗ୍ରାମୀ ତଥା ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସଂଗଠନର ସଭାପତି ନୀଳମଣି ସାମଲଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୁବ ବୟସରେ ସ୍ବାଧୀନତା ଆନ୍ଦୋଳନରେ ଯୋଗ ଦେଇ ସେ କାରାବରଣ କରିଥିଲେ। ଦେଶର ସ୍ବାଧୀନତା ପାଇଁ ତାଙ୍କର ତ୍ୟାଗ ତାଙ୍କୁ ସ୍ମରଣୀୟ କରି ରଖିବ। ସ୍ବାଧୀନତା ପରେ ମଧ୍ୟ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେ ଦେଶର ଯୁବ ସମାଜକୁ ସେବା ଓ ଦେଶପ୍ରେମର ବାର୍ତ୍ତା ଦେଇ ଆସିଥିଲେ। ତାଙ୍କ ବିୟୋଗରେ ଜଣେ ବିଶିଷ୍ଟ ସଂଗ୍ରାମୀଙ୍କୁ ଆମେ ହରାଇଲୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ସ୍ବର୍ଗତ ନାୟକଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!