ନବ ଦାସ ହତ୍ୟା ଘଟଣାକୁ ପୂରିଲା ବର୍ଷେ

ଝାରସୁଗୁଡା,୨୯ା୧: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ସୋମବାର ବର୍ଷେ ପୂରିଛି।  ନ୍ୟାୟ ଅପେକ୍ଷାରେ ନବଙ୍କ ପରିବାର। କିନ୍ତୁ ମୁଖ୍ୟ ଅଭିଯୁକ୍ତ ଗୋପାଳ କାହିଁକି ହତ୍ୟା କରିଥିଲା କାରଣ ଏବେ ବି ଅସ୍ପଷ୍ଟ ।ତଥାପି ଏଯାଏଁ ହତ୍ୟାର କାରଣ ରହସ୍ୟ ଘେରରେ ରହିଛି। ଅଭିଯୁକ୍ତ ଗୋପାଳ ଦାସ ନାଁରେ ଚାର୍ଜ ସିଟ୍ ଦାଖଲ ପରେ ବି ବିଚାର ପ୍ରକ୍ରିୟା ଆଶାନୁରୂପ ଭାବରେ ଆଗେଇ ନାହିଁ। ଅଭିଯୁକ୍ତ ଗୋପାଳଙ୍କ ନାଁରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିଛି। ହେଲେ ହତ୍ୟାର କାରଣର ପର୍ଦ୍ଦାଫାସ ହୋଇପାରିନି। ଏପରିକି ନବଙ୍କ ପରିବାର ଷଡଯନ୍ତ୍ର ଅଭିଯୋଗ କରିବା ପରେ ମଧ୍ୟ କ୍ରାଇମବ୍ରାଞ୍ଚ ଷଡଯନ୍ତ୍ରର ଦିଗକୁ ତଦନ୍ତରେ ସାମିଲ କରିନାହିଁ। ଗୋପାଳ ଦାସ ପୂର୍ବ ଶତ୍ରୁତା ତଥା ନିଜ ଜୀବନ ପ୍ରତି ବିପଦ ଥିବା ଅନୁଭବ କରି ନବ ଦାସଙ୍କୁ ହତ୍ୟା କରିଥିବା କ୍ରାଇମ୍‌ବ୍ରାଞ୍ଚ ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି। କିନ୍ତୁ, ଏହି ଘଟଣାରେ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଳ ଦାସ ଓ ସ୍ତ୍ରୀ ମିନତି ଦାସ କ୍ରାଇମ୍‌ବ୍ରାଞ୍ଚକୁ ଦେଇଥିବା ବୟାନ ଏବେ କ୍ରାଇମ୍‌ବ୍ରାଞ୍ଚର ତଦନ୍ତ ଉପରେ ଅଙ୍ଗୁଳି ଉଠାଇଛି। ଗୋଟିଏ ପଟେ ଗୋପାଳ ଦାସକୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ କର୍ମଚାରୀ ଭୟଭୀତ କରିଥିବା ନେଇ ଗୋପାଳ ନିଜେ ପଲିଗ୍ରାଫ୍‌ ଟେଷ୍ଟରେ କହିଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ ମଧ୍ୟ ଏହି ପ୍ରସଙ୍ଗକୁ ଅଭିଯୋଗ ଫର୍ଦ୍ଦରେ ସାମିଲ୍‌ କରିଛି। କିନ୍ତୁ ଅଦ୍ୟାବଧି ହତ୍ୟା ପାଇଁ ଉସୁକାଇଥିବା ଉକ୍ତ କର୍ମଚାରୀକୁ ପୁଲିସ୍‌ ଧରିନାହିଁ କି ତା‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏଥିସହିତ, ତଦନ୍ତ ବେଳେ ଅଭିଯୁକ୍ତ ଗୋପାଳ ଦାସର ପରିବାରବର୍ଗ ତା’ର ମାନସିକ ରୋଗ (ବାଇପୋଲାର ଡିଜିଜ୍‌) ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚକୁ ସୂଚନା ଦେଇଥିଲେ। ଏହି ଦାବିର ସତ୍ୟତା ଯାଞ୍ଚ କରିବାକୁ ଯାଇ ଡିଏମ୍‌ଇଟି ଓଡ଼ିଶାଙ୍କ ଦ୍ବାରା ଏକ ସ୍ବତନ୍ତ୍ର ମେଡିକାଲ ବୋର୍ଡ ଗଠନ କରାଯାଇଥିଲା। ପରୀକ୍ଷା ବେଳେ ଏହି ଟିମ୍‌ ଗୋପାଳର ମାନସିକ ରୋଗ ନେଇ କୌଣସି ସୂଚନା ପାଇନଥିଲା। ତଦନ୍ତ ସମୟରେ ମଧ୍ୟ ଗୋପାଳ ସମସ୍ତ ସହଯୋଗ କରିଥିବା ବେଳେ ସବୁ ପ୍ରଶ୍ନର ଉତ୍ତର ବୁଝି ବିଚାରି ଦେଉଥିଲା। ଯାହାକି ତା’ର ମାନସିକ ସ୍ଥିତି ସ୍ଥିର ରହିଥିବା ତଥା ସେ ସୁସ୍ଥ ମସ୍ତିଷ୍କରେ ଏହି ହତ୍ୟାକାଣ୍ଡ ଘଟାଇଥିବା କ୍ରାଇମ୍‌ବ୍ରାଞ୍ଚ ନିଜ ରିପୋର୍ଟରେ ଉଲ୍ଲେଖ କରିଛି। କିନ୍ତୁ, ଜେଲ୍‌ରେ ଗୋପାଳକୁ ମାନସିକ ରୋଗର ଔଷଧ ବି ଦିଆଯାଉଛି। ତେବେ ନବ ଦାସଙ୍କ ସ୍ମୃତିକୁ ମନେପକାଇ ଆଜି ପଶ୍ଚିମଓଡ଼ିଶାର ବିଭିନ୍ନ ସ୍ଥାନରେ ଶୋକ ସଭା ଅନୁଷ୍ଠିତ ହେଉଛି । କିନ୍ତୁ ଅପରପକ୍ଷରେ ଆଜି ହିଁ ସମାନ ତାରିଖରେ ଝାରସୁଗୁଡା ଏଡିଜେ କୋର୍ଟରେ ହତ୍ୟାକାଣ୍ଡ ସମ୍ପର୍କିତ ଘଟଣାକୁ ନେଇ ସାଖ୍ୟା ପ୍ରମାଣ ତାରିଖ ରହିଛି |ସେପଟେ ସୋମବାର ନବଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଝାରସୁଗୁଡା ମନମୋହନ ସ୍କୁଲ ପଡିଆରୁ ଏକ ମିନି ମାରାଥନର ଆୟୋଜନ ହୋଇଛି। ସେହିପରି ଏସପି ଅଫିସ ସମ୍ମୁଖ ତିନି କୋଣୀଆ ଛକରେ ନବ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି। ପରେ ଦିନ ୧୨ଟାରେ ମନମୋହନ ଏମଇ ସ୍କୁଲ ପଡିଆଠାରେ ସର୍ବଧର୍ମ ସ୍ମୃତି ସଭା ଅନୁଷ୍ଠିତ ହେବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!