ଇସଲାମାବାଦ,୩୧।୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ପତ୍ନୀ ବୁଶ୍ରା ବିବିଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ତୋଶାଖାନା ମାମଲାରେ ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ମୁଖ୍ୟଙ୍କ ପତ୍ନୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପାକିସ୍ତାନରେ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ମୁଖ୍ୟ ଇମ୍ରାନ ଖାନଙ୍କ ସମସ୍ୟା ବଢିବାରେ ଲାଗିଛି। ତୋଶାଖାନା ମାମଲାରେ ପାକିସ୍ତାନର ଏକ ଅଦାଲତ ତାଙ୍କୁ ୧୪ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି। ଇମ୍ରାନଙ୍କ ସହ ତାଙ୍କ ପତ୍ନୀ ବୁଶ୍ରା ବିବିଙ୍କୁ ମଧ୍ୟ ୧୪ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଗୋଟିଏ ଦିନ ପୂର୍ବରୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସିଙ୍କୁ ଗୁପ୍ତ ତଥ୍ୟ ଲିକ୍ ମାମଲାରେ ୧୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ହୋଇଛି। ଆଉ ଏବେ ତୋଶାଖାନା ମାମଲାରେ ଦଣ୍ଡ ପାଇବା ପରେ ଇମ୍ରାନଙ୍କ ସମସ୍ୟା ଆହୁରି ବଢିଯାଇଛି।ତୋଶାଖାନା ମାମଲାରେ ରାୱଲପିଣ୍ଡିର ଅଦିଆଲା ଜେଲରେ ଥିବା ଇମ୍ରାନ ଖାନଙ୍କ ଦଣ୍ଡ ଶୁଣାଣି କରିବାକୁ କୋର୍ଟର ବିଚାରପତି ମହମ୍ମଦ ବଶୀର ନିଜେ ପହଞ୍ଚିଥିଲେ। ରାୟ ଅନୁଯାୟୀ, ଇମ୍ରାନ ଖାନ ଏବଂ ବୁଶ୍ରା ବିବିଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ କୌଣସି ସରକାରୀ ପଦବୀରେ ରହିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହା ବ୍ୟତୀତ ଇମ୍ରାନ ଓ ବୁଶ୍ରାଙ୍କ ଉପରେ ୭୮-୭୮ କୋଟି ଟଙ୍କାର ଜରିମାନା ଲାଗୁ କରାଯାଇଛି। ବୁଶ୍ରା କୋର୍ଟରେ ହାଜର ହୋଇନଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |