ନୂଆଦିଲ୍ଲୀ,୧।୨: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅନ୍ତରୀଣ ବା କାମଚଳା ବଜେଟ୍ ଘୋଷଣା କରିବାକୁ ଯାଉଛନ୍ତି। ଗୁରୁବାର ସଂସଦରେ ଆଗତ ହେବ ଅନ୍ତରୀଣ ବଜେଟ୍। ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିରେ ଏହା ହେଉଛି ଶେଷ ବଜେଟ। ଦିନ ୧୧ଟାରେ ଅନ୍ତରୀଣ ବଜେଟ୍ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଗକୁ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅର୍ଥମନ୍ତ୍ରୀ ଏହି ବଜେଟରେ ସବୁବର୍ଗଙ୍କୁ ଖୁସି କରିବା ପାଇଁ ବଡ ଘୋଷଣା କରିବା ଆଶା କରାଯାଉଛି।ଏପ୍ରିଲ-ମଇରେ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ ଆଉ ୩-୪ମାସ ଭିତରେ ହେବାକୁ ଥିବା ଆୟ-ବ୍ୟୟ ଅଟକଳକୁ ଅର୍ଥମନ୍ତ୍ରୀ ଉପସ୍ଥାପନ କରିବେ। ଏହା ବ୍ୟତୀତ ଅନେକ ଆବଶ୍ୟକୀୟ ଯୋଜନା ଉପରେ ମଧ୍ୟ ଆଲୋଚନା ହେବ। ଅନ୍ତରୀଣ ବଜେଟ ଆଗତ ହେବାକୁ ଥିବା ବେଳେ ଜୁଲାଇ ମାସରେ ନୂଆ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ। ଏଥିରେ ବଡ଼ ଘୋଷଣା କରିବା ଲାଗି ସରକାରଙ୍କ ପାଖରେ ବିଶେଷ ସୁଯୋଗ ରହିବ ନାହିଁ। ନୂତନ ସରକାର ଗଠନ ହେବା ପର୍ଯ୍ୟନ୍ତ ଏହି ସମୟ ପାଇଁ ବିଭିନ୍ନ କ୍ଷେତ୍ର ଓ ଯୋଜନା ଲାଗି ଆବଶ୍ୟକ ପାଣ୍ଠି ଲାଗି ବଜେଟ୍ରେ ବ୍ୟବସ୍ଥା କରାଯିବ। ନୂତନ ସରକାର ଗଠନ ହେବା ପରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହେବ।ଏହି ବଜେଟରେ ବିଶେଷ କରି ଦରଦାମ ବୃଦ୍ଧିରେ ହନ୍ତସନ୍ତ ହେଉଥିବା ସାଧାରଣ ଜନତା ଓ ମଧ୍ୟବିତ୍ତଙ୍କୁ କିଛି ଆଶ୍ୱସ୍ତି ଦେଇପାରନ୍ତି କେନ୍ଦ୍ର ସରକାର। ପେଟ୍ରୋଲ, ଡିଜେଲ ଦାମ କମାଇବା ଏବଂ ଆୟକରରେ ରିହାତି ଦେବାର ଆଶା କରାଯାଉଛି। ଚାଷୀଙ୍କ ପାଇଁ ନୂଆ ଯୋଜନା ଘୋଷଣା ହୋଇପାରେ। ଭିତ୍ତିଭୂମିରେ ଅଧିକ ପୁଞ୍ଜି ନିବେଶ ସହ ଏମଏସଏମଇ ଓ ଷ୍ଟାର୍ଟଅପ୍ ଜରିଆରେ ଅଧିକ କର୍ମନିଯୁକ୍ତି ସୃଷ୍ଟି ପାଇଁ କିଛଇ ପଦକ୍ଷେପ ନିଆଯିବ ବୋଲି ଆଶା କରାଯାଉଛି। ରେଳ ଯାତାୟାତକୁ ଅଧିକ ସୁଗମ କରିବାକୁ ଅଧିକ ଯାତ୍ରୀବାହୀ ଟ୍ରେନ୍ ପ୍ରଚଳନ ସହ ରେଳପଥର ସୁରକ୍ଷା ଓ ବିଭିନ୍ନ ସ୍ଥାନକୁ ନୂଆ ରେଳଲାଇନ ନେଇ ଘୋଷଣା ହୋଇପାରେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |