ଭୁବନେଶ୍ୱର,୮।୨ : ଆଜି ରାଜ୍ୟ ବଜେଟ୍। ଚଳିତ ବର୍ଷର କାମଚଳା ବଜେଟ୍ ବିଧାନସଭାରେ ହେବ ଆଗତ। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଅପରାହ୍ନ ୫ଟା ବେଳେ ଗୃହରେ ବଜେଟ୍ ଉପସ୍ଥାପନ କରିବେ। ଆଜି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଆଗତ କରିବେ । ବର୍ଷର ପ୍ରଥମ ୪ ମାସ ପାଇଁ ଏହି କାମଚଳା ବଜେଟ ଆଗତ ହେଉଥିବା ବେଳେ ଏହା ଉପରେ ଏବେ ସଭିଙ୍କ ନଜର ରହିଛି । ଆଗକୁ ବିଧାନସଭା ଓ ଲୋକସଭା ନିର୍ବାଚନ ଥିବାରୁ ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ର ପ୍ରତି ଫୋକସ୍ କରିପାରନ୍ତି । ନିକଟରେ ଏହି ବଜେଟକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଥିଲା ।ତେବେ ୨.୬୦ ଲକ୍ଷ କୋଟିର ପୂର୍ଣ୍ଣାଙ୍ଗ ବଜେଟ ଚିଠା ପ୍ରସ୍ତାବ ଆଗତ କରାଯିବା ସହିତ ପାଖାପାଖି ୧.୨୫ ଲକ୍ଷ କୋଟିର କାମଚଳା ବଜେଟକୁ ଗୃହରେ ଆଗତ କରାଯିବାର ସମ୍ଭାବନା ରହିଛି । ଏହି ବଜେଟରେ ରାଜ୍ୟ ସରକାର କେନ୍ଦ୍ରୀୟ ସହାୟତା ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିସହିତ ରାଜସ୍ୱ ବଳକା, ରାଜ୍ୟ ସାମଗ୍ରିକ ଘରୋଇ ଉତ୍ପାଦ ବୃଦ୍ଧିକୁ ମଧ୍ୟ ଗୁରୁତ୍ୱ ଦିଆଯାଇପାରେ । ନିର୍ବାଚନ ପୂର୍ବରୁ ଏହା ରାଜ୍ୟ ସରକାରଙ୍କ ଶେଷ ବଜେଟ ହୋଇଥିବାରୁ ସରକାର କିଛି ଲୋକାଭିମୁଖୀ ଯୋଜନା ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି ।ଗତ ୧ ତାରିଖରେ କେନ୍ଦ୍ର ସରକାରଙ୍କ ତରଫରୁ ଚଳିତ ବର୍ଷର ଅନ୍ତରୀଣ ବଜେଟ ଅର୍ଥମନ୍ତ୍ରୀ ନିର୍ମଳା ସୀତାମରଣ ଆଗତ କରିଥିଲେ । କେନ୍ଦ୍ର ସରକାର ଏହି ବଜେଟରେ ଗରିବ ଲୋକଙ୍କୁ ଘର କିଣିବା ଓ ଘର ତିଆରି କରିବା ନେଇ ଆର୍ଥିକ ସହାୟତା ଯୋଗାଇଦେବାକୁ ଘୋଷଣା କରିଥିବା ବେଳେ ଗରିବ, ମହିଳା, ଯୁବକଙ୍କ ଉପରେ ବିଶେଷ ଧ୍ୟାନ ଦେଇଥିଲେ । ଅନୁରୂପ ଭାବେ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ବର୍ଗଙ୍କୁ ଖୁସି କରିବା ପାଇଁ କିଛି ବଡ଼ ପଦକ୍ଷେପ ଗ୍ରହଣ କରିପାରନ୍ତି । ରାଜ୍ୟ ସରକାର ରାଜ୍ୟରେ ଆରମ୍ଭ କରିଥିବା ବିଭିନ୍ନ ଯୋଜନାକୁ ନେଇ ରାଜ୍ୟବାସୀଙ୍କୁ କିଛି ଖୁସି ଖବର ଦେଇ ପାରନ୍ତି । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ୱ ମିଳିପାରେ ବୋଲି ଅର୍ଥନୀତିଜ୍ଞମାନେ ପୂର୍ବାନୁମାନ କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |