ଆଜି ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ

ଜୋହାନ୍ସବର୍ଗ,୧୧।୨: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଅନ୍ତିମ ପର୍ଯ୍ୟୟରେ ପହଞ୍ଚିଛି। ଟାଇଟଲ ପାଇଁ ଗତଥରର ଚାମ୍ପିଅନ ଭାରତ ଓ ଅଷ୍ଟ୍ରେଲିଆ ରବିବାର ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବେ। ଜୋହାନ୍ସବର୍ଗର ପୂର୍ବରେ ଥିବା ବେନୋଇର ୱିଲୋମୁର ପାର୍କରେ ଖେଳାଯିବାକୁ ଥିବା ଏହି ନିର୍ଣ୍ଣାୟକ ମ୍ୟାଚ୍‌ ଜିତି ଭାରତ ରେକର୍ଡ ଷଷ୍ଠ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛି। ଗତ ଅକ୍ଟୋବର- ନଭେମ୍ବରେ ଭାରତରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପ୍‌ ଫାଇନାଲରେ ଭାରତକୁ ପରାସ୍ତ କରି ଅଷ୍ଟ୍ରେଲିଆ ଚାମ୍ପିଅନ ହେବା ସହ କୋଟି କୋଟି ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଥିଲା। ଏବେ ଭାରତର କନିଷ୍ଠ ଖେଳାଳି ସିନିୟର ଖେଳାଳିଙ୍କର ଏହି ହୃଦୟବିଦାରକ ପରାଜୟର ପ୍ରତିଶୋଧ ନେବ ବୋଲି ଆଶା କରାଯାଉଛି। ଭାରତ ସେମିଫାଇନାଲରେ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ଦୁଇ ୱିକେଟରେ ଓ ଅଷ୍ଟ୍ରେଲିଆ ରୋମାଞ୍ଚକ ତଥା ସଂଘର୍ଷପୂର୍ଣ୍ଣ ଦ୍ୱିତୀୟ ସେମିଫାଇନାଲରେ ଏକ ୱିକେଟରେ ପାକିସ୍ତାନକୁ ହରାଇ ଫାଇନାଲ ଟିକଟ ହାସଲ କରିଥିଲେ।ଟୁର୍ଣ୍ଣାମେଣ୍ଟରେ ଭାରତ ଏପର୍ଯ୍ୟନ୍ତ ଦମ୍‌ଦାର ପ୍ରଦର୍ଶନ କରିଛି। ଫାଇନାଲ ମ୍ୟାଚରେ ଉଭୟ ଦଳର ଖେଳାଳିଙ୍କ କୌଶଳ, ପ୍ରତିଶୃତିବଦ୍ଧତା, ଦୃଢ ସଂକଳ୍ପର ଲଢେଇ ଦେଖିବାକୁ ମିଳିବ। ଅତୀତର ସଫଳତା ଓ ଭବିଷ୍ୟତର ଅନିଶ୍ଚିତାକୁ ନେଇ ବ୍ୟସ୍ତ ନ ହୋଇ ବର୍ତ୍ତମାନ ଅର୍ଥାତ୍‌ ଫାଇନାଲ ମ୍ୟାଚ୍‌ ଉପରେ ମନୋନିବେଶ କରିବାକୁ ଭାରତୀୟ ଅଧିନାୟକ ଉଦୟ ସରଣ ନିଜ ଖେଳାଳିମାନଙ୍କୁ ପରାମର୍ଶ ଦେଇଛନ୍ତି। ଉଭୟ ଦଳରେ ଦକ୍ଷ ଓ ପ୍ରତିଭାସମ୍ପର୍ଣ୍ଣ ଖେଳାଳି ରହିଛନ୍ତି। ଏହି ବିଶ୍ୱକପ୍‌ରୁ ପ୍ରତିଭା ଚିହ୍ନଟ ହୋଇଥାନ୍ତି ଓ ସେମାନଙ୍କର ବିକାଶ କରାଯାଇ ସିନିୟର ଦଳରେ ଉପଯୋଗ କରିବା ହିଁ ମୂଳ ଲକ୍ଷ୍ୟ ରହିଆସିଛି। ବିରାଟ କୋହଲି, ରୋହିତ ଶର୍ମା, ରବିନ୍ଦ୍ର ଜାଡେଜା, ଯୁବରାଜ ସିଂ, ମହମ୍ମଦ କୈଫ୍‌ଙ୍କ ଭଳି କ୍ରିକେଟର ଏହି ବିଶ୍ୱକପ୍‌ରୁ ଆବିଷ୍କାର ହୋଇଛନ୍ତି। ଚଳିତ ବିଶ୍ୱକପ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ମୁସିର ଖାନ୍‌, ଉଦୟ ସରଣ, ସଚିନ ଧାସ, ସୌମ୍ୟ ପାଣ୍ଡେ, ରାଜ ଲିମ୍ବାନୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଓ ଏମାନେ ଭବିଷ୍ୟତରେ ଭାରତୀୟ କ୍ରିକେଟରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବେ ବୋଲି ଆଶା କରାଯାଉଛି। ଅଷ୍ଟ୍ରେଲିଆ ବିପକ୍ଷରେ ଏମାନଙ୍କ ପ୍ରଦର୍ଶନ ଉପରେ ଭାରତର ଟାଇଟଲ ଆଶା ନିର୍ଭର କରୁଛି। ଭାରତ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛି। ଦଳଗତ ପ୍ରଦର୍ଶନ କରି ଭାରତ ଫାଇନାଲରେ ପହଞ୍ଚିଛି। ବ୍ୟାଟିଂ ହେଉ କି ବୋଲିଂ; ଦଳଗତ ଭାବେ ଭାରତ ଭଲକରିଛି। ଭାରତ ଲିଗ୍‌ ପଯ୍ୟାୟରେ ବାଂଲାଦେଶକୁ ୮୪ ରନରେ, ଆୟର୍ଲାଣ୍ଡକୁ ୨୦୧ ରନ୍‌ରେ ଓ ଆମେରିକାକୁ ୨୦୧ ରନ୍‌ରେ ପରାସ୍ତ କରିଥିଲା। ସୁପର-୬ ଗ୍ରୁପ ପର୍ଯ୍ୟାୟରେ ଏହା ନ୍ୟୁଜିଲାଣ୍ଡକୁ ୨୧୪ ରନ୍‌ ଓ ନେପାଳକୁ ୧୩୨ ରନ୍‌ରେ ପରାସ୍ତକରି ସେମିଫାଇନାଲରେ ପହଞ୍ଚିିଥିଲା। ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୨ ୱିକେଟରେ ପରାସ୍ତକରି ଭାରତ ଫାଇନାଲରେ ପହଞ୍ଚିଛି। ବ୍ୟାଟିଂରେ ଭାରତ ପକ୍ଷରୁ ମୁସିର ଖାଁ ଚମତ୍କାର ଫର୍ମରେ ରହିବା ସହିତ ୪୩୨ ରନ୍‌ ଓ ଅଧିନାୟକ ଉଦୟ ସାହାରନ ୫୦୬ ରନ୍‌ କରିଛନ୍ତି। ଆଦର୍ଶ ସିଂହ, ସଚିନ ଧାସ୍‌, ପ୍ରିୟାାଂଶୁ ମୋଲିଆ ପ୍ରମୁଖ ଭଲ ଖେଳୁଛନ୍ତି। ବୋଲିଂରେ ବାମହାତି ସ୍ପିନର ସୌମ୍ୟ ପାଣ୍ଡେ ୨୬ଟି, ନମନ ତିୱାରୀ ୧୭ଟି ୱିକେଟ ନେଇଛନ୍ତି। ଏହାଛଡ଼ା ମୁସିର ଖାଁ ଓ ରାଜ୍‌ ଲିମ୍ବାନି ମଧ୍ୟ ୱିକେଟ ହାସଲ କରୁଛନ୍ତି। ସେମିଫାଇନାଲରେ ଦକ୍ଷିଣ ଆଫ୍ରିକ​‌ା ବିପକ୍ଷରେ ଏକଦା ଦଳ ୩୨ ରନରେ ୪ଟି ୱିକେଟ ହରାଇଥିବାବେଳେ ଉଦୟ ସାହାରନ ଓ ସଚିନ ଧାସ୍‌ଙ୍କ ଚମତ୍କାର ଇନିଂସ ଭାରତକୁ ଫାଇନାଲରେ ପହଞ୍ଚାଇଛି। ଅଷ୍ଟ୍ରେଲିଆ ଲିଗ୍‌ ପଯ୍ୟାୟରେ ସମସ୍ତ ମ୍ୟାଚ୍‌ ଜିତିଥିଲା। ଏହା ସୁପର-୬ ପର୍ଯ୍ୟାୟରେ ଇଂଲଣ୍ଡକୁ ୧୧୦ ରନ୍‌ରେ ପରାସ୍ତ କରିଥିବା ବେଳେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇ ଯାଇଥିଲା। ସେମିଫାଇନାଲରେ ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆ କଡ଼ା ସଂଘର୍ଷର ସମ୍ମୁଖୀନ ହୋଇଥିଲା। ଅଷ୍ଟ୍ରେଲିଆ ୧ ୱିକେଟରେ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ବ୍ୟାଟିଂରେ ହଗ୍‌ ୱିବଗାନ ୪୫୯ ଓ ସାମ କୋନାଷ୍ଟାସ୍‌ ୩୪୫ ରନ୍‌ କରିଛନ୍ତି। ହ୍ୟାରୀ ଡିକ୍ସନ, ଅଲିଭର ପିକେଙ୍କ ଭଳି ବ୍ୟାଟ୍‌ସମ୍ୟାନ ମଧ୍ୟ ଭଲ କରୁଛନ୍ତି। ରାଫ୍‌ ମ୍ୟାକମିଲନ, ଟମ୍‌ କ୍ୟାମ୍ପବେଲ, କାଲମ୍‌ ଭିଡ୍‌ଲର ଭଲ ଅଲ୍‌ରାଉଣ୍ଡର। ଫାଷ୍ଟବୋଲର ଟମ୍‌ ଷ୍ଟ୍ରାକର ଚମତ୍କାର ବୋଲିଂ କରୁଛନ୍ତି। ପାକିସ୍ତାନ ବିପକ୍ଷ ସେମିଫାଇନାଲରେ ଷ୍ଟ୍ରାକର ୬ଟି ୱିକେଟ ନେଇଥିଲେ। ଉଭୟ ଦଳଙ୍କ ମଧ୍ୟରେ ​‌େ​‌ଶଷ ୪ଟି ମ୍ୟାଚର ପ୍ରଦର୍ଶନକୁ ଦେଖିଲେ ଭାରତ ସବୁଥିରେ ବିଜୟୀ ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!