ଭୁବନେଶ୍ୱର ,୧୪।୨ : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁଣିଥରେ ଓଡ଼ିଶାରୁ ରାଜ୍ୟ ସଭା ପ୍ରାର୍ଥୀ ହୋଇଛନ୍ତି। ଅଶ୍ଵିନୀଙ୍କ ନାଁ ଘୋଷଣା କଲା ବିଜେପି। ବିଜେପିରୁ ଅଶ୍ଵିନୀଙ୍କୁ ଜିତିବାକୁ ହେଲେ ୩୭ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଏନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ଘୋଷଣା କରାଯାଇଛି । ଗତ ଥର ମଧ୍ୟ ଅଶ୍ୱିନୀଙ୍କୁ ବିଜେପି ଓଡ଼ିଶାରୁ ରାଜ୍ୟସଭାକୁ ପଠାଇଥିବା ବେଳେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଶ୍ୱିନୀ ରାସ୍ୟସଭାକୁ ଯିବେ । ତେବେ ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଜେପି ପକ୍ଷରୁ ମଧ୍ୟପ୍ରଦେଶର ୪ ଜଣ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି । ଏନେଇ ଦଳ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।ଆସନ୍ତା ୨୭ ତାରିଖରେ ଦେଶର ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ଏନେଇ ଗତ ୮ ତାରିଖରେ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଓଡ଼ିଶାର ୩ ଜଣ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ମାସ ୩ ତାରିଖରେ ସମାପ୍ତ ହେବ । ଏନେଇ ବିଜେଡି ପକ୍ଷରୁ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା ।ତେବେ ବିଜେଡିର ତୃତୀୟ ରାଜ୍ୟସଭା ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଏହା ମଧ୍ୟରେ ଅଶ୍ୱିନୀଙ୍କ ଓଡ଼ିଶା ଗସ୍ତକୁ ନେଇ ଚର୍ଚ୍ଚା ବଢ଼ିଥିଲା । ଗୋଟିଏ ପଟେ ବିଜେଡି ତା’ର ତୃତୀୟ ପ୍ରାର୍ଥୀଙ୍କ ନାମକୁ ନେଇ ସସପେନ୍ସ ରଖିଥିବା ବେଳେ ଆଜି ବିଜେପି ପକ୍ଷରୁ ଅଶ୍ୱିନୀଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଗତ ଥର ବିଜେଡି ସମର୍ଥନରେ ଅଶ୍ୱିନୀ ରାଜ୍ୟସଭା ଯାଇଥିବା ବେଳେ ଏଥର କ’ଣ ହେବ ତା’ ଉପରେ ଏବେ ସଭିଙ୍କ ନଜର ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |