ଭୁବନେଶ୍ୱର,,୨୨ା୨ : ଚଳିତ ବର୍ଷ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ପ୍ରସ୍ତୁତି ଓ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ପ୍ରସ୍ତୁତି ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି। ସବୁ ଜିଲ୍ଲାପାଳ ଏବଂ ବିଭାଗୀୟ ଅଧିକାରୀ ମାନଙ୍କୁ ହିଟ୍ୱେଭ୍ କୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହିଟ୍ୱେଭ୍ରୁ ବର୍ତ୍ତିବାକୁ ନେଇ ଜନସଚେତନତା କାର୍ଯ୍ୟ କରିବାକୁ ନେଇ ସେ ପରାମର୍ଶ ଦେଇଛନ୍ତି। ଏହି ସମୟରେ କଣ କରିବା ଉଚିତ୍ ଏବଂ କଣ କରିବା ଅନୁଚିତ୍ , ତାହା ସାଧାରଣ ଲୋକ ବୁଝାଇବାକୁ କୁହାଯାଇଛି। ଏଥିସହ ପାଣି ସମସ୍ୟା ପ୍ରତି ସ୍ବତନ୍ତ୍ର ଭାବେ ଧ୍ୟାନ ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ। ଗ୍ରୀଷ୍ଣ ପ୍ରବାହ ପାଇଁ ଯେଭଳି କୌଣସି ଜୀବନହାନି ନ ହୁଏ , ସେଥିପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାଣି ଅଭାବ ଥିବା ଅଞ୍ଚଳ ଗୁଡିକୁ ଚିହ୍ନଟ କରି ସେ ଅଞ୍ଚଳକୁ ଟ୍ୟାଙ୍କରରେ ପାଣି ଯୋଗାଇବାକୁ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ କୁହାଯାଇଛି। ସର୍ବସାଧାରଣ ସ୍ଥାନରେ ପଞ୍ଚାୟତ ପକ୍ଷରୁ ପାନୀୟ ଜଳ ସେବା କେନ୍ଦ୍ର ଖୋଲିବ । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଆଶ୍ରୟସ୍ଥଳୀ , ଗୋଷ୍ଠୀ କେନ୍ଦ୍ର ଓ ଅନ୍ୟ ସାର୍ବଜନିନ ସ୍ଥାନକୁ ଅସହାୟ ଲୋକଙ୍କ ବିଶ୍ରାମ ପାଇଁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ । ଆଶ୍ରୟସ୍ଥଳୀରେ ଲୋକଙ୍କ ପାଇଁ ପାନୀୟ ଜଳ ଓ ଓଆରଏସ୍ ର ବ୍ୟବସ୍ଥା ରହିବ।ଗ୍ରୀଷ୍ମ ମୁକାବିଲା ପାଇଁ ରାଜ୍ୟ ସରକାର ଏକ ୨୪ ସୂତ୍ରୀ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ସହ ଏହାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର (ଏସ୍ଆର୍ସି) ସତ୍ୟବ୍ରତ ସାହୁ ବୁଧବାର ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ଏ ସଂକ୍ରାନ୍ତରେ ଚିଠି ଲେଖିଛନ୍ତି।ଗ୍ରୀଷ୍ମ ପ୍ରବାହଜନିତ ବିପଦ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ଅଭିଯାନ ଆରମ୍ଭ କରିବାକୁ ଏସ୍ଆର୍ସି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପାଣିର ଅଭାବ ଅନେକ ସମୟରେ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ସହିତ ଜଡିତ ହେଉଥିବାରୁ ଏହି ଦିଗକୁ ଧ୍ୟାନ ଦେବା ଏବଂ ଜଳ ଅଭାବ ଅଞ୍ଚଳକୁ ଚିହ୍ନଟ ସହ ସମ୍ପୃକ୍ତ ଅଞ୍ଚଳକୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣକୁ ସୁନିଶ୍ଚିତ କରିବା, ନଳକୂପ ଓ ପାଇପ୍ ଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କିତ ଅଭିଯୋଗର ତୁରନ୍ତ ସମାଧାନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବଜାର, ବସଷ୍ଟାଣ୍ଡ ଓ ଅନ୍ୟାନ୍ୟ ସମାବେଶ ସ୍ଥଳରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା/ଗ୍ରାମ ପଞ୍ଚାୟତ ପକ୍ଷରୁ ପାନୀୟଜଳ ସେବାକେନ୍ଦ୍ର ଖୋଲାଯିବା, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ସହରାଞ୍ଚଳ ଆଶ୍ରୟସ୍ଥଳୀ, ଗୋଷ୍ଠୀ କେନ୍ଦ୍ର ଏବଂ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନଗୁଡ଼ିକୁ ବାସହୀନ/ ଅସହାୟ ଲୋକଙ୍କ ପାଇଁ ଦିନ ସମୟରେ ବିଶ୍ରାମ ପାଇଁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |