ପୋଲିସ ଗୁଳିରେ ଚାଷୀ ମୃତ,୨ ଦିନ ‘ଦିଲ୍ଲୀ ଚଲୋ’ ଯାତ୍ରା ସ୍ଥଗିତ

ନୂଆଦିଲ୍ଲୀ ,୨୨ା୨:ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ଗ୍ୟାରେଣ୍ଟି ଆଇନ ଦାବିରେ ପୁଣି ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଆରମ୍ଭ ହୋଇଥିବା ‘ଦିଲ୍ଲୀ ଚଲୋ’ ଅଭିଯାନ ହିଂସାତ୍ମକ ମୋଡ଼ ନେଇଛି । ଏଥିରେ ପୁଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ଆଇନ ପ୍ରଣୟନ ଏବଂ ଅନ୍ୟାନ୍ୟ ଦାବିରେ ଅଡ଼ି ବସିଥିବା କୃଷକମାନେ ଦିଲ୍ଲୀ ଅଭିମୁଖେ ଅଗ୍ରସର ହେଉଥିବାବେଳେ ପୋଲିସ ସେମାନଙ୍କୁ ଅଟକାଇ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଉଛି। ପଞ୍ଜାବ-ହରିୟାଣା ସୀମାର ଖନୌରିରେ ବୁଧବାର ସନ୍ଧ୍ୟାରେ ପୋଲିସ ଗୁଳିରେ ଜଣେ ଯୁବଚାଷୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ କେତେଜଣ ଆହତ ହୋଇଛନ୍ତି। ଫେବୃଆରୀ ୧୩ରେ ‘ଦିଲ୍ଲୀ ଚଲୋ’ ଅଭିଯାନ ଆରମ୍ଭ ହେବା ପରଠୁ ପୋଲିସ କାର୍ଯ୍ୟାନୁଷ୍ଠାନରେ ଅଦ୍ୟାବଧି ପ୍ରାୟ ୧୬୦ ଚାଷୀ ଆହତ ହୋଇଥିବାବେଳେ ଏହା ହେଉଛି ସଂଘର୍ଷରେ କୃଷକଙ୍କ ପ୍ରଥମ ମୃତ୍ୟୁ। ଇତିମଧ୍ୟରେ କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା ଆନ୍ଦୋଳନରତ କୃଷକମାନଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। ଏଥିସହ ପଞ୍ଚମ ପର୍ଯ୍ୟାୟ ଆଲୋଚନା ପାଇଁ କୃଷକ ସଙ୍ଗଠନର ପ୍ରତିନିଧିମାନଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ଡାକିଛନ୍ତି। ତେବେ ପୋଲିସ ଗୁଳିରେ ଜଣେ କୃଷକଙ୍କ ମୃତ୍ୟୁ ପରେ ଚାଷୀମାନେ ଦିଲ୍ଲୀ ମାର୍ଚ୍ଚକୁ ୨ ଦିନ ପାଇଁ ସ୍ଥଗିତ ରଖିବା ସହ ନିଜ ନିଜ ସ୍ଥାନରେ ଧାରଣାରେ ବସିବେ ବୋଲି ଅଲ୍‌ ଇଣ୍ଡିଆ କିଷାନ୍‌ ସଭା (ଏଆଇକେଏସ୍‌) ପକ୍ଷରୁ ଘୋଷଣା କରାଯାଇଛି। ୨୩ଟି ଫସଲର ଏମ୍‌ଏସ୍‌ପି ଉପରେ ଆଇନଗତ ଗ୍ୟାରେଣ୍ଟି, କୃଷିଋଣ ଛାଡ଼ ଓ ଚାଷୀଙ୍କ ଉପରୁ ମାମଲା ପ୍ରତ୍ୟାହାର ଦାବିରେ କୃଷକମାନେ ଗତ ୧୩ରୁ ଦିଲ୍ଲୀ ଅଭିମୁଖେ ଆନ୍ଦୋଳନ ପାଇଁ ଟ୍ରାକ୍ଟରଗୁଡ଼ିକରେ ଯାଉଥିବାବେଳେ ଜାତୀୟ ରାଜଧାନୀ ସଂଲଗ୍ନ ସୀମାଗୁଡ଼ିକରେ ବ୍ୟାରିକେଡିଂ କରି ସେମାନଙ୍କୁ ଅଟକାଯାଇଛି। ଏହି କ୍ରମରେ ପଞ୍ଜାବ-ହରିୟାଣା ସୀମାର ଖନୌରିରେ ପ୍ରାୟ ୧୫ ହଜାର ଚାଷୀ ଦିଲ୍ଲୀ ଯିବାକୁ ଉଦ୍ୟମ କରୁଥିବାବେଳେ ସେମାନଙ୍କୁ ପୋଲିସ ଅଟକାଇବାରୁ ସଂଘର୍ଷ ହୋଇଥିଲା। ସୁରକ୍ଷା କର୍ମୀ ଓ ଆନ୍ଦୋଳନରତ କୃଷକ ମୁହଁାମୁହଁି ହୋଇଥିବାବେଳେ ପୋଲିସ ଗୁଳି ଚଳାଇବାରୁ ଜଣେ ୨୧ ବର୍ଷୀୟ ଚାଷୀ ପ୍ରାଣ ହରାଇଛନ୍ତି। ଏଥିରେ ଆଉ କେତେଜଣ କୃଷକ ଆହତ ହୋଇଛନ୍ତି। ମୃତ ଚାଷୀ ହେଲେ ପଞ୍ଜାବ ବଠିଣ୍ଡା ଜିଲା ଅନ୍ତର୍ଗତ ବାଲୋକେ ଗ୍ରାମର ଶୁଭକରଣ ସିଂ। ପଟିଆଲାସ୍ଥିତ ରାଜିନ୍ଦ୍ର ହସ୍ପିଟାଲର ମେଡିକାଲ ଅଫିସର ଏଚ୍‌.ଏସ୍‌. ରେଖି ଗଣମାଧ୍ୟମକୁ କହିଛନ୍ତି, ଖନୌରି ସୀମାରୁ ଆହତ ଅବସ୍ଥାରେ ୩ ଜଣ ଚାଷୀଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା। ଶୁଭକରଣଙ୍କ ମୁଣ୍ଡରେ ଗୁଳିମାଡ଼ ଯୋଗୁ ଗଭୀର ଆଘାତ ଲାଗିଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ଗୁଳିର ଆକୃତି ଜଣାପଡ଼ିବ। ଅନ୍ୟ ଦୁଇ ଆହତଙ୍କ ଅବସ୍ଥା ସ୍ଥିର ରହିଥିବା ସେ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!